ବାନ୍ଧ ନମିଳିବାରୁ ହାତ ବାନ୍ଧି ବସିଛନ୍ତି ଝାରସୁଗୁଡାର ଶହଶହ ବୁଣାକାର । ପାଖରେ ସୂତା ଓ ବନ୍ଧ ନଥିବାରୁ ତିଆରି ହୋଇ ପାରୁନାହିଁ ସମ୍ବଲପୁରୀ ବସ୍ତ୍ର

140

କନକ ବ୍ୟୁରୋ : ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁରର ଶତାଧିକ ବୁଣାକାର ପରିବାର । ପାରମ୍ପାରିକ ସମ୍ବଲପୁରୀ ବସ୍ତ୍ର ତିଆରି କରି ପେଟ ପୋଷୁଥିଲେ । ହେଲେ ଏବେ କୋରନା ମାଡ ସାଙ୍ଗକୁ ସରକାରୀ ସ୍ଥରରେ ଅବହେଳା ଏମାନଙ୍କୁ ସଂଙ୍କଟାଭୁମିଖୀ କରାଉଛି । କୋରନା କଟକଣା ଯୋଗୁଁ ବାନ୍ଧ ନ ପହଂଚିବାରୁ ହାତ ବାନ୍ଧି ବସିଛନ୍ତି ବୁଣାକାର । ଆବଶ୍ୟକ ସାମଗ୍ରୀ ଅଭାବରୁ କାମ ବନ୍ଦ ରହିଛି । ଫଳରେ ପେଟକୁ ଦାନା ଯୋଗାଡ କରିବା ବୁଣାକାରଙ୍କ ପାଇଁ ଆହ୍ୱାନ ପାଲଟିଛି । ଏହି ଅବସ୍ଥା ଲାଗି ରହିଲେ ଆଗକୁ ସେମାନେ କୌଳିକ ବୃତି ହରାଇବା ସମ୍ଭାବନା ଏଡାଇ ଦିଆଯାଇନପାରେ ।

ସାମଗ୍ରୀ ଅଭାବକୁ ନେଇ ଚିନ୍ତାରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଶହଶହ ବୁଣାକାର ପରିବାର । ଲଖନପୁରରେ ମୁଖ୍ୟତଃ ଭୁଲିଆ ସଂପ୍ରଦାୟର ଲୋକେ ବସବାସ କରନ୍ତି । ଏମାନେ ସମସ୍ତେ ପାରମ୍ପାରିକ ଭାବେ ଲୁଗା ବୁଣି ଗୁଜୁରାଣ ମେଂଟାଇଥାନ୍ତି । ଲଖନପୁର ପୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁରୀ ବସ୍ତ୍ରର ଚାହିଦା ରହିଛି, ତେଣୁ ବ୍ୟବସାୟ ବି ଭଲ ହୁଏ । ହେଲେ ବସ୍ତ୍ର ବୁଣିବା ପାଇଁ ଆବଶ୍ୟକ କଂଚାମାଲର ଅଭାବ ଯୋଗୁଁ ହାତ ବାନ୍ଧି ବସିଛନ୍ତି ଦକ୍ଷ ବୁଣାକାର ।

କରୋନା କାଳରେ ଲୁଗା ବୁଣିବା ପାଇଁ ଆବଶ୍ୟକ ବାନ୍ଧ ଉପଲବ୍ଧ ହେଉନାହିଁ । ପ୍ରୋସାହନ ଅଭାବରୁ ବହୁ ସମସ୍ୟାରେ ବୁଡି ରହିଛନ୍ତି ବୁଣାକାର । ବରଗଡ ଜିଲ୍ଲାର ମାଷ୍ଟର ବୁଣାକାର ମାନେ ଝାରସୁଗୁଡା ଲଖନପୁର ବୁଣାକାରଙ୍କୁ ସୁତା ଯୋଗାଇଥାନ୍ତି । ହେଲେ ଓଡିଶାରେ ସୂତା କାରଖାନା ବନ୍ଦ ହେବାରୁ ସୂତା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଆଉ ଏବେ କରୋନା କଟକଣା ଯୋଗୁଁ ଠିକ ସମୟରେ ବୁଣାକାରଙ୍କ ପାଖରେ ସୂତା ପହଂଚି ପାରୁନାହିଁ । ତେଣୁ ସିଧାସଳଖ ସୁତା ରଙ୍ଗ ଓ ଉପଯୁକ୍ତ ତାଲିମ ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ବୁଣାକାର ।

ବୁଣାକାରଙ୍କ ଉନ୍ନତି ପାଇଁ ଝାରସୁଗୁଡା ଜିଲ୍ଲା କନକତୋରା ଓ ଚାଂଚିପାଲ୍ଲୀ ପଂଚାୟତରେ ସମବାୟ ସମିତି ରହିଛି । ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟରେ ୧୬ଟି ଜୋନ ରହିଛି । ଝାରସୁଗୁଡା ଜିଲ୍ଲାଟି ସୁନ୍ଦରଗଡ ଜୋନରେ ଅଧିନରେ ଥିବାରୁ ସୁଭ ଦୃଷ୍ଟି ପଡୁନଥିବା ଅଭିଯୋଗ ହେଉଛି । ସରକାରୀ ତଥ୍ୟ ଅନୁଯ୍ଧବ ୨୦୧୮-୧୯ ବର୍ଷରେ ରାଜ୍ୟରେ କପା ଉତ୍ପାଦନ ୪.୫ ବେଲ ରହିଛି । ଗୋଟିଏ ବେଲ କପାର ଓଜନ ୧୭୦ କିଲୋଗ୍ରାମ । ରାଜ୍ୟ ସରକାରଙ୍କ ହସ୍ତତନ୍ତ ଏବଂ ବୟନଶିଳ୍ପର ବଜେଟକୁ ହିସାବ କଲେ ଜଣାପଡେ ୨୦୧୯-୨୦ରେ ଏହା ୧୭୫.୮୨ କୋଟି ଟଙ୍କାରେ ପହଂଚିଛି । ହେଲେ ତୃଣମୁଳ ସ୍ଥରରେ କାର୍ଯ୍ୟରେ ଅବହେଳା ଯୋଗୁଁ ସରକାରଙ୍କ ଉତଥାନ ବୁଣାକାରଙ୍କ କାମରେ ଆସୁନାହିଁ ।