କନକ ବ୍ୟୁରୋ: ବାଲି ମାଫିଆଙ୍କ ଟାର୍ଗେଟରେ ନଦୀ ଶଯ୍ୟା । ଦୈନିକ ବେଆଇନ୍ ଭାବେ ବୈତରଣୀ ନଦୀରୁ ଉତ୍ତୋଳନ ହେଉଛି ଶହ ଶହ ଟ୍ରିପ ବାଲି । ଫଳରେ ସରକାର କୋଟି ଟଙ୍କା ଟଙ୍କା ରାଜସ୍ୱ ହରାଉଥିବା ବେଳେ କ୍ଷୟ ହେଉଛି ନଦୀ ଶଯ୍ୟା । ଏଥିସହ ବେଆଇନ୍ ବାଲି ଚାଲାଣ ହେବା ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଗ୍ରାମବାସୀ । ଯାହାକୁ ନେଇ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲୋକେ ଆନ୍ଦୋଳନକୁ ଓହ୍ଲାଇବା ସହ ବାଲିଘାଟ ବନ୍ଦ କରିଛନ୍ତି ।

Advertisment

ନଦୀ ଶଯ୍ୟା ଉପରେ ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି । ଯାଜପୁର ବ୍ୟାସନଗର ତହସିଲ ଅଧିନ ମୂଳାପାଳ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଅଞ୍ଚଳ ଦେଇ ଯାଇଥିବା ବୈତରଣୀ ନଦୀରୁ ବେଧଡକ ବାଲି ଚୋରି କରୁଛନ୍ତି ଦୁର୍ବୃତ୍ତ । ପ୍ରଶାସନ ଦେଇଥିବା ଲିଜ୍ ଏରିଆ ବାହାରୁ ଦିନରାତି ମେସିନ ଳଗାଇ ଖୋଳି ନେଉଛନ୍ତି ଶହଶହ ଟ୍ରିପ୍ ବାଲି । ଫଳରେ ନଦୀ ଶଯ୍ୟା ବ୍ୟାପକ ଗଭୀର ହେବାରେ ଲାଗିଛି ।

ସୂଚନା ଅନୁସାରେ ମୂଳାପାଳ ପଞ୍ଚାୟତର ରଣପାଳ ନିକଟରେ ବାଲି ଖାଦାନ ପାଇଁ ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ୧୨ ଏକର ଜାଗା ଲିଜ୍ ଦିଆଯାଇଛି । ହେଲେ ସେହି ୧୨ ଏକର ପରିବର୍ତ୍ତେ ଅନ୍ୟ ୬୦ ଏକରରୁ ଉର୍ଦ୍ଧ୍ୱ ଜାଗାରୁ ବାଲି ଉତ୍ତୋଳନ କରୁଛନ୍ତି ସମ୍ପୃକ୍ତ ଲିଜ୍ ଧାରି । ଦିନ ରାତି ବଡ଼ ବଡ଼ ଟ୍ରକ୍ ଦ୍ୱାରା ବାଲି ଚାଲାଣ କରାଯାଉଛି । ଭାରିଯାନରେ ବାଲି ଚାଲାଣ ହେଉଥିବାରୁ ନଦୀବନ୍ଧ ଓ ଗ୍ରାମ୍ୟ ରାସ୍ତା କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ସ୍ଥାନୀୟ ଲୋକେ ଆନ୍ଦୋଳନ ପନ୍ଥା ଗ୍ରହଣ କରିିଛନ୍ତି । ତହସିଲ ପ୍ରଶାସନ ଓ ବାଲି ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ଏହି ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ନଦୀରୁ ବାଲି ଚୋରି ରୋକାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି ଗ୍ରାମବାସୀ ।

ନଦୀ ଶଯ୍ୟା ଗଭୀର ହେଉଥିବାରୁ ନଦୀରେ ବନ୍ୟା ଆସିଲେ ସିଧାସଳଖ ନଦୀ ବନ୍ଧ କ୍ଷତିଗ୍ରସ୍ତ ହେବା ସହ ବନ୍ଧ ଭାଙ୍ଗିବା ଆଶଙ୍କା ମଧ୍ୟ ରହିଛି । ସେହିପରି ବାଲି ଉତ୍ତୋଳନ ହେଉଥିବା ସ୍ଥାନର ୫୦୦ ମିଟର ଦୂରରେ ରହିଛି ଆଖୁଆପଦା ସେତୁ । ଏତେ ନିକଟରୁ ବ୍ୟାପକ ମାତ୍ରାରେ ବାଲି ଉତ୍ତୋଳନ ହେବା ଦ୍ୱାରା ସେତୁ ପ୍ରତି ମଧ୍ୟ ବିପଦ ରହିଛି । ଯାହାକୁ ନେଇ ଏବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ ।