ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ଦାବିରେ ଏସପି ଅଫିସ ଘେରିଲେ ଶତାଧିକ ଆଦିବାସୀ
କନକ ବ୍ୟୁରୋ: ସହକାରୀ ଜିଲ୍ଳାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସଆଇ ଆଲିସ୍ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାତିଲେ ଆଦିବାସୀ । ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଏସପି ଅଫିସ୍ ଘେରାଉ କରିଛି ଜିଲ୍ଲା ଆଦିବାସୀ ସଂଘ । ହଜାର ହଜାର ଆଦିବାସୀ ପ୍ଲାକାର୍ଡ ଧରି ରାଉକେଲା ମହାନଗର ଅଫିସରୁ ବିରାଟ ରାଲିରେ ଆସିଥିଲେ । ଜର୍ଜ ସେନା, ଜିଲ୍ଲା ସରପଞ୍ଚ ସଂଘ ଓ ଅନ୍ୟ ଆଦିବାସୀ ସଂଘ ମିଳିତ ଭାବେ ଉଭୟ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
- ଜଷ୍ଟିସ୍ ଫର୍ ସୁସ୍ମିତା
- ଜଷ୍ଟିସ୍ ଫର୍ ଆଲିସ୍
- ବିଶାଳ ରାଲି, ବିରାଟ୍ ପ୍ରତିବାଦ
ତେବେ ବହୁଚର୍ଚ୍ଚିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ଦୁଇ ସପ୍ତାହ ବିତି ଯାଇଥିଲେ ଥିଲେ ସୁଦ୍ଧା ଏଯାଏଁ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିପାରିନି । ସୁସ୍ମିତାଙ୍କ ମୃତ୍ୟୁ ନେଇ ପୁଲିସ୍ କହୁଥିବା କଥାକୁ ପରିବାରବର୍ଗ ଓ ସମ୍ପର୍କୀୟ ଗ୍ରହଣ କରିପାରୁନାହାଁନ୍ତି । ଏଭଳି ସ୍ଥିତିରେ ସୁସ୍ମିତାଙ୍କୁ ନ୍ୟାୟ ଦେବାକୁ ସିବିଆଇ ତଦନ୍ତ ଦାବି ଜୋରଦାର ହୋଇଛି ।
ଏପଟେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ମହିଳା ଏଏସଆଇ ଏ.ଏନ ଲୁଗୁନ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ମଧ୍ୟ ଗଠନ କରାଯାଇଛି । ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କେ ନେତୃତ୍ୱରେ ଏହି ଟିମ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିବ । ରାଉରକେଲାରେ ବିଜେପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଘଟଣାକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି-ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ।
ଏପଟେ ଉଦିତନଗର ଥାନାର ମହିଳା ଏଏସଆଇ ଆଲିସ୍ ଲୁଗୁନଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ସାମ୍ନାକୁ ଆସିଛି । ଜଗଉ ଛକ ନିକଟ ରିଂ ରୋଡ୍ ସଡ଼କ ଦୁର୍ଘଟଣାସ୍ଥଳରେ ଏଏସଆଇ ପହଞ୍ଚିବା ପରେ କେମିତି ପାଟିତୁଣ୍ଡ ହୋଇଥିଲା ତାର ଭିଡିଓ ସାମ୍ନାକୁ ଆସିଛି । ବସ୍-କାର ଦୁର୍ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନା ପରେ ଅସୁସ୍ଥ ହୋଇଯାଇଥିଲେ ଆଲିସ୍ ଲୁଗୁନ୍ ଏବଂ ପରବର୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏସବୁ ଭିତରେ ଆଲିସଙ୍କ ସ୍ୱାମୀ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ପରିବାର ଲୋକଙ୍କୁ କ୍ଷତିପୂରଣ ଏବଂ ପିଲାଙ୍କ ପାଠପଢ଼ା ଦାୟିତ୍ୱ ବହନ କରିବା ପାଇଁ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି । ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ରିଜର୍ସ ପୁଲିସ ଲାଇନରେ ମୃତ ଆଲିସ ଲୁଗୁନଙ୍କୁ ସମ୍ମାନ ଜଣାଇ ଜିଲ୍ଳା ପୁଲିସ୍ ପକ୍ଷରୁ ସଲାମୀ ଦିଆଯାଇଛି ।