କନକ ବ୍ୟୁରୋ : ପାଦେ ପାଦେ ଶିବ ଲିଙ୍ଗ । ଯେଉଁଠି ଖୋଳିଲେ ସେଇଠି ବାହାରୁଛି ଶିବ ଲିଙ୍ଗ । ପାହାଡ଼ ଉପରେ ରହିଛି ଶହଶହ ଶିବ ଲିଙ୍ଗ । କୋରାପୁଟ ଜିଲ୍ଳା ଲକ୍ଷ୍ମୀପୁର ବ୍ଳକ ଖୁଟୁଣି ପଦର ଗାଁ ନିକଟ ପାହାଡ଼ ଉପରେ ରହିଛି ବିରାଟ ଗୁମ୍ପା । ଆଉ ଗୁମ୍ଫା ଭିତରେ ରହିଛି ଶହଶହ ଶିବ ଲିଙ୍ଗ । ଗୋଟିଏ ସ୍ଥାନରେ ଶିବ ପାର୍ବତୀ ଓ ବିଷ୍ନୁ ମୁର୍ତି ରହିଛି । ନଜର ଯେଉଁଠି ପଡୁଛି ସେଠି ଦେଖିବାକୁ ମିଳୁଛି ପୁରାତନ ପଟଚିତ୍ର । ପାହଡ ଉପରେ ଅନେକ ଗୁମ୍ପା ସାଙ୍ଗକୁ ବିଭିନ୍ନ ଦେବାଦେବୀଙ୍କ ପାଟ ପଟୁଆର ଖଣ୍ଡା କାତି ଦେଖିଲେ ଲାଗୁଛି ସତେ ଯେମିତି ରାଜରାଜୁଡାଙ୍କ ପୂଜା ସାମଗ୍ରୀ । ବିଶ୍ୱ ପର୍ଯ୍ୟଟନ ଦିବସରେ ଏଭଳି ଏକ ସ୍ଥାନରେ ପହଂଚିଥିଲେ ଆମ ପ୍ରତିନିଧି ।

Advertisment

ଘଂଚ ବନାନୀ ସାଙ୍ଗକୁ ଉଚ୍ଚ ପର୍ବତ । ପର୍ଯ୍ୟଟନ ସ୍ଥଳ ପାଇଁ ସବୁଠାରୁ ଉତ୍ତମ । ସୁଯୋଗ ଅଛି କେବଳ ଉଦ୍ୟମ ଲୋଡ଼ା । ହେଲେ ଏଠାକୁ ଆସିବା ପାଇଁ ନା ଅଛି ରାସ୍ତା ନା ଅନ୍ୟ କୌଣସି ସୁବିଧା । ସ୍ଥାନୀୟ ଆଦିବାସୀ ଲୋକ କାହିଁ କେଉଁ କାଳରୁ ଏଠାରେ ପୂଜା କରିଆସୁଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଏହି ସ୍ଥାନ ବାବଦରେ ଶୁଣିବା ପରେ ପହଂଚିଥିଲେ ଆମ ପ୍ରତିନିଧି । ଭାବର ଅଶ୍ରୁ ଭରା ଆଖିରେ ଶ୍ରଦ୍ଧାଳୁ କହିଛନ୍ତି, ଶହଶହ ଶିବ ଲିଙ୍ଗ ଥିବା ଏହି ପିଠକୁ ଯିଏ ଆସିଛି ତାର ମନସ୍କାମନା ପୂରଣ ହୋଇଛି । ଯେଉଁଥିପାଇଁ ଅନେକ ଭକ୍ତ ଏଠାକୁ ଧାଇଁ ଆସିଥାନ୍ତି ।

ଲୋକକଥା ଅନୁଯାୟୀ, ଏହି ଗୁମ୍ଫାରେ କୋଟି କୋଟି ଶିବ ପ୍ରତିମା ରହିଛି । ତେବେ ସରକାରଙ୍କ ଉଦାସୀନତା ଯୋଗୁଁ ଲୋକଲୋଚନକୁ ଆସିପାରିନାହିଁ ଏହି ଗୁମ୍ଫା । କିନ୍ତୁ ଯଦି ପ୍ରତ୍ନତତ୍ତ୍ୱ ବିଭାଗ ଏ ଗୁମ୍ଫା ବାବଦରେ ଗବେଷଣା କରନ୍ତେ ତେବେ ଅନେକ ଲୁକ୍କାୟିତ ତଥ୍ୟ ସାମ୍ନାକୁ ଆସିପାରନ୍ତା ।