କନକ ବ୍ୟୁରୋ: ବର୍ଷ ସାରା ପରିଶ୍ରମ କରି ଚାଷୀ ଚାଷ କରିଛି । ହେଲେ ବିକ୍ରି ହୋଇନପାରିବାରୁ ଚାଷୀର ଚିନ୍ତା ବଢିଯାଇଛି । କେଉଁଠି ମଣ୍ଡିରେ ଖୋଲା ଆକାଶ ତଳେ ଦିନ ଦିନ ଧରି ଧାନ ପଡ଼ିରହୁଛି ତ ପୁଣି କେଉଁଠି କଟନୀ ଛଟନୀ ହେଉଛି । ଯାହାର ବିରୋଧ କରି ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କଟକରେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଟନୀ ଛଟନୀକୁ ବିରୋଧ ସହିତ ମିଲର ଏଜେଂଟଙ୍କୁ ହଟାଇବାକୁ ଦାବି ହୋଇଛି । ୭ ଦିନ ଭିତରେ ଦାବିପୂରଣ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇବାର ଚେତାବନୀ ଦେଇଛନ୍ତି ଚାଷୀ ।

Advertisment

ସେହିଭଳି ଖୋର୍ଦ୍ଧାରେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାନ ଢ଼ାଳି ଆନ୍ଦୋଳନ । ଧାନବସ୍ତା ପକାଇ କାର୍ଯ୍ୟାଳୟର ଗେଟ ବନ୍ଦ କରିଛନ୍ତି କୃଷକ ସଙ୍ଗଠନ କର୍ମକର୍ତା । ସେହିଭଳି ଗାଡିରେ ଧାନ ଭର୍ତି କରି ଆଣୁଥିବା ବେଳେ ପୁଲିସ ସହିତ ଠେଲାପେଲା ହୋଇଥିଲା । ବାରିପଦାରେ ମଧ୍ୟ କଟନୀ ଛଟନୀ ଓ ଟୋକନ ମିଳିବା ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀମାନେ । ବାରମ୍ବାର ଅଭିଯୋଗ ହୋଇଥିଲେ ବି ଚାଷୀଙ୍କୁ ଏଯାଏଁ ଟୋକନ୍ ମିଳିପାରିନି । ଯାହାର ପ୍ରତିବାଦ କରିବା ସହିତ ସମାଧାନ ଦାବି କରିଛନ୍ତି ଚାଷୀମାନେ ।

ଅନ୍ୟ ସ୍ଥାନ ଭଳି ଯାଜପୁର ଜିଲ୍ଲାରେ ୧୨୦ଟି ସମବାୟ ସମିତି ଓ ୪୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କିଣାଯାଉଥିବା ବେଳେ ଅନେକ ମଣ୍ଡି ଏପର୍ଯ୍ୟନ୍ତ ଖୋଲିନାହିଁ । ଅନ୍ୟପଟେ ମିଲରଙ୍କ ମନମାନୀ ଯୋଗୁଁ ମଣ୍ଡିରେ ଧାନ ପଡ଼ିରହୁଛି । ତେବେ ଚାଷୀଙ୍କ ପ୍ରତିବାଦ ସମୟରେ ଯାଜପୁର ଜିଲ୍ଲାପାଳ ଚାଷୀଙ୍କ ସହ ରାସ୍ତାରେ ବସି ଆଲୋଚନା କରୁଥିବାର ଦେଖିବାକୁ ମିଳିଛି । ଖୁବଶୀଘ୍ର ଏହାର ସମାଧାନ କରିବାକୁ ଚାଷୀ ଆଶା ରଖିଛନ୍ତି । ନଚେତ ଅ।।ଗକୁ ଆନ୍ଦୋଳନ ଜୋରଦାର କରିବାକୁ ଦେଇଛନ୍ତି ଚେତାବନୀ ।