ଆଷାଢରେ ବର୍ଷାର ଦେଖା ନାହିଁ, ମୌସୁମୀ ଖେଳୁଛି ଲୁଚକାଳି: ଶୁଖିଲା ପଡ଼ିଛି ହେକ୍ଟର ହେକ୍ଟର ଚାଷ ଜମି

99

କନକ ବ୍ୟୁରୋ: ଆଷାଢରେ ବର୍ଷାର ଦେଖା ନାହିଁ, ମୌସୁମୀ ଖେଳୁଛି ଲୁଚକାଳି । ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଶୁଖିଲା ପଡ଼ିଛି ହେକ୍ଟର ହେକ୍ଟର ଚାଷ ଜମି । ମାଟି ଫାଟି ଆଁ କରିଥିବା ଚାଷ ବାସ ପ୍ରଭାବିତ ହୋଇଛି । ଚଳିତ ବର୍ଷ କେମିତି ଖରିଫ ଚାଷ ହେବ ତାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ । ଆଷାଢ ମାସରେ ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ପ୍ରଭାବରେ ଚାଷ ଜମି ଶୁଖିଲା ପଡ଼ିଛି । ଓଡ଼ିଶାର ପାଖାପାଖି ୭୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରନ୍ତି । ଧାନ ଚାଷ ପାଇଁ ଜଳ ସେଚନର ଆବଶ୍ୟକତା ଥିଲେ ମଧ୍ୟ ଅଧିକାଂଶ ଚାଷୀ ବର୍ଷା ଜଳ ଉପରେ ନିର୍ଭର କରନ୍ତି । ପରମ୍ପରା ଅନୁସାରେ ଅଖିତୃତୀୟା ଠାରୁ ଅଖିମୁଠି ଅନୁକୁଳ ପରେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ ।

ମୌସୁମୀର ପ୍ରଥମ ବର୍ଷାରେ ଚାଷୀ ମାନେ ତଳିଘେରା ପ୍ରସ୍ତୁତ କରି ଖରିଫ ଧାନ ଚାଷ ଆରମ୍ଭ କରିଥାଏ । କିନ୍ତୁ ଚଳିତ ବର୍ଷ ଅଖିତୃତୀୟାକୁ ଦୁଇ ମାସ ବିତିଯାଇଥିଲେ ସୁଧା ମୌସୁମୀର ଦେଖାନାହିଁ । ନିଅଂଟିଆ ବର୍ଷା ଯୋଗୁଁ ଚଳିତ ବର୍ଷ କ୍ଷେତକୁ ଲଙ୍ଗଳ ମଧ୍ୟ ଯାଇନାହିଁ । ଚାଷୀ ଭାଇ ବିଲରେ ଖତ ମାଟି ପକାଇଥିଲେ ମଧ୍ୟ ଚାଷ କାମ ଆରମ୍ଭ କରିପାରୁ ନାହିଁ । ବର୍ଷା ଅଭାବରୁ ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ହଜାର ହଜାର ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି । ଚାଷ ଜମିରେ ଚରୁଛନ୍ତି ଗାଇ ଓ ମଇଁଷି । ମୌସୁମୀର ଲୁଚକାଳି ଖେଳ ଏବେ ଚାଷକାର୍ଯ୍ୟକୁ ଉଜାଡ଼ିବାକୁ ବସିଲାଣି । ଗାଁ ଗହଳିରେ ଥିବା ଜଳାଶୟ ଶୁଖିଲା ପଡ଼ିଥିବା ବେଳେ କେନାଲ ପାଣି ଓ ବର୍ଷା ଜଳକୁ ଭରସା କରିଥିବା ଚାଷୀଙ୍କ ଧାନ ଚାଷ ପ୍ରଭାବିତ ହେବାର ସମ୍ଭାବନା ରହିଛି ।