କନକ ବ୍ୟୁରୋ: କୋଭିଡ କାଳରେ ହଜିଯାଇଛି ମାନବିକତା। ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନୁହେଁ ନଦୀରେ ଭସାଇ ଦିଆଗଲା ମୃତଦେହ। ଶବ ଉଦ୍ଧାର ପରେ ବିହାର ଓ ଉତ୍ତରପ୍ରଦେଶ ମଧ୍ୟରେ ଚାଲିଛି ଛକାପଞ୍ଝା। ଅଲୋଡ଼ା ପାଲଟିଥିବା ଶବକୁ ନେଇ ଆରମ୍ଭ ହୋଇଯାଇଛି ଶସ୍ତା ରାଜନୀତି।
କାଲି ଯିଏ ଥିଲା ଆପଣାର ଆଜି ସେ ଅଲୋଡା । ସତେ ଯେମିତି କୋଭିଡ କାଳରେ ହଜିଯାଉଛି ମାନବିକତା । ଏଠି ଶବକୁ ବି ମିଳୁନି ସମ୍ମାନ । ସେଥିପାଇଁ ତ ଅଛୁଆଁ ପାଲଟିଥିବା ମୃତ ଦେହକୁ ଆବର୍ଜନା ସଜେଇ ନଦୀରେ ଭସେଇ ଦିଆଯାଇଛି । ଶବ କାହାର ? କେଉଁଠୁ ଆସିଛି ? ସେ ଖବର କାହାରି ପାଖରେ ନାହିଁ । ତେବେ କୋଭିଡରେ ପ୍ରାଣ ହରାଇଥିବା ରୋଗୀଙ୍କ ଶବକୁ ଗଙ୍ଗା ନଦୀରେ ଫୋପାଡିଦିଆଯାଇଛି ବୋଲି ଅନେକ ସନ୍ଦେହ କଲେଣି । ଏହାକୁ ନେଇ ନଦୀ ଉପକୂଳବର୍ତ୍ତୀ ଲୋକଙ୍କ ମନରେ କୋକୁଆ ଭୟ ଖେଳିଯାଇଛି। କରୋନାରେ ପ୍ରାଣ ହରାଇବା ପରେ ଅନ୍ତିମ ସଂସ୍କାର କରିପାରିନଥିବା ଲୋକମାନେ ସେମାନଙ୍କ ପରିଜନଙ୍କ ମୃତଦେହକୁ ନଦୀରେ ଭସାଇ ଦେଉଛନ୍ତି ବୋଲି ପ୍ରଶାସନ ଆଶଙ୍କା କରିଛି । ପ୍ରଶାସନର ଚିନ୍ତା ବଢାଇଲାଣି ଏହି ପରିସ୍ଥିତି।
ବିହାରର ବକ୍ସର ଜିଲ୍ଲା ଦେଇ ଯାଇଥିବା ଗଙ୍ଗା ନଦୀରେ ୭୧ଟି ମୃତଦେହ ଭାସୁଥିବା ବେଳେ ପଡୋଶୀ ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲା ଅନ୍ତର୍ଗତ ନଦୀରୁ ୨୫ଟି ମୃତଦେହ ମିଳିଛି। ସେଥିରୁ ଅନେକ ଶବ ପଚି ଶଢି ଯାଇଛି । ନଦୀରେ ଏଭଳି ଶବ ଦେଖି ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ ।
କଥା ଏତିକି ରେ ସରିନି। ମୃତ ଦେହକୁ ନେଇ ଆରମ୍ଭ ହୋଇଗଲାଣି ଶସ୍ତା ରାଜନୀତି । ସମସ୍ୟାର ସମାଧାନକୁ ଭୂଲି ଉଭୟ ବିହାର ଓ ଉତ୍ତର ପ୍ରଦେଶ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ । ଏସବୁ ପରିସ୍ଥିତି ପାଇଁ ବିହାର ସରକାରକୁ ଟାର୍ଗେଟ କରିଛନ୍ତି ବକ୍ସର ଏସ ପି ନିରଜ କୁମାର। ଶବ ଗୁଡିକୁ ବିହାରରୁ ଭସେଇ ଦିଆଯାଇଥିବା ସନ୍ଦେହ କରିଛନ୍ତି। ଶବ କାହାର , କେଉଁଠୁ ଆସିଲା ସେନେଇ ବକ୍ସର ପୋଲିସ ଖୋଲତାଡ କରୁଥିବା ବେଳେ ଶବ ବ୍ୟବଚ୍ଛେଦ କରିବା ସହ ଡିଏନଏ ଟେଷ୍ଟ ଓ କୋଭିଡ ପରୀକ୍ଷା ପାଇଁ ସାମ୍ପୁଲ ନିଆଯିବ ବୋଲି ବକ୍ସର ଏସପି ସୂଚନା ଦେଇଛନ୍ତି । ତେବେ ଉଭୟ ଉତ୍ତର ପ୍ରଦେଶ ଓ ବିହାର ପୋଲିସ ଏହାର ତଦନ୍ତ କରନ୍ତୁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ବିହାର ସରକାରଙ୍କୁ ପାଲଟା ଜବାବ ଦେଇଛି ଉତ୍ତରପ୍ରଦେଶ। ଶବ ଗୁଡିକ ବିହାରରୁ ଉଦ୍ଧାର ହୋଇଛି। ଏହାର ଅନୁସନ୍ଧାନ ବିହାର ସରକାର କରୁ ବୋଲି ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି।
ଗଙ୍ଗା ନଦୀରେ ଶବ ଭାସିବା ଘଟଣା ସମ୍ପର୍କରେ ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ଦିଆଯାଇଛି। କେନ୍ଦ୍ର ସରକାର ମଧ୍ୟ ଏହି ଘଟଣାକୁ ଗଭୀରତାର ସହ ନେଇଛନ୍ତି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଘଟଣାର ତଦନ୍ତ ପାଇଁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଶେଖାୱତ କହିଛନ୍ତି ଗଙ୍ଗା ନଦୀରେ ଏପରି ଭାବେ ଶବ ଭାସିବା ଦୁର୍ଭାଗ୍ୟଜନକ। ଏହାର ତଦନ୍ତ ନିଶ୍ଚିତ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/05/buxar.jpg)