କନକ ବ୍ୟୁରୋ : କିଛି ଦିନ ତଳେ ଜମିରେ ହସୁଥିଲା ଧାନ ଫସଲ । ସୁନାର ଫସଲକୁ ଦେଖି ଖୁସି ହେଉଥିଲା ଚାଷୀ, ଅମଳ କରି ଖଳାକୁ ନେବ, ମଣ୍ଡିରେ ଦେଇ ପଇସା ଆଣି ଋଣ ସୁଝିବ । ହେଲେ ଧାନ ଫସଲରେ ଚକଡା ଏମିତି ମାଡିଛି ଯେ ମୁଣ୍ଡରେ ଚଡକ ପଡିଯାଇଛି । ଚକଡା ପୋକ ଚରି ଯିବାରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୁଗୋଚ୍ଛା ଅଂଚଳରେ ଶହ ଶହ ଏକରର ଧାନ ଚାଷ ଏବେ ଉଜୁଡି ଯାଇଛି । ଧାନ ତ ଦୂରର କଥା ନଡା କି ପାଳ ବି ମିଳିବା ମୁସ୍କିଲ୍ ।
କେବଳ ମରାଡୁଗୋଚ୍ଛା ଗାଁ ନୁହେଁ, ତରଭା ବ୍ଲକର ଅନେକ ଗାଁର ଗହିରରେ ଏବେ ଚକଡା ମାଡିଛି । ଧାନ ଫସଲ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ । ରୋଗ ପୋକ ନିୟନ୍ତ୍ରଣ ପାଇଁ ଯେତେ କୀଟନାଶକ ଓ ଔଷଧ ପ୍ରୟୋଗ କଲେ ବି କିଛି କାମ ଦେଉନି । ବାରମ୍ବାର ଗୁହାରି କଲା ପରେ ମଧ୍ୟ କୃଷି ବିଭାଗ ଅଧିକାରୀଙ୍କ ଦେଖା ମିଳୁନଥିବାର ଅଭିଯୋଗ । ଚକଡାକୁ ନେଇ ଚିନ୍ତାରେ ଏ ଅଂଚଳର ଚାଷୀ । ଏପଟେ ବ୍ଲକ କୃଷି ଅଧିକାରୀ କହିଛନ୍ତି, ପୋକ ଦାଉରୁ ଫସଲର ସୁରକ୍ଷା ପାଇଁ ଚାଷୀଙ୍କୁ ସଚେତନ କରାଯାଉଛି ।
୬ ମାସ ଧରି ଜମିରେ ମାଟି ସହ ମାଟି ହୋଇ ଖଟି ଆସିଥିଲା ଚାଷୀ, ଶେଷରେ ତାରି ଜମିରେ ରାଜୁତି କରି ଚକଡା, ଚାଷୀ ମୁହଁରୁ ଖୁସି ଛଡେଇ ନେଇଛି । ଏମାନଙ୍କୁ କେମିତି କ୍ଷତିପୂରଣ ମିଳିବ, ଏମାନେ କେମିତି ଋଣ ସୁଝିବେ, ବର୍ଷକର ଆହାର କେମିତି ଯୋଗାଡ କରିବେ ସେ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।