କନକ ବ୍ୟୁରୋ: ଯେଉଁ ରାସ୍ତା ଦେଇ ବାଘ ଯାଉଛି, ସେହି ରାସ୍ତାରେ ଯାତାୟତ କରୁଛନ୍ତି ମଣିଷ । ଗୋଟିଏ ସ୍ଥାନରେ ମଣିଷ-ବାଘ ଚଳପ୍ରଚଳ ହେଉଥିବାର ରୋଚକ ଦୃଶ୍ୟ ଆସିଛି ଶିମିଳିପାଳ ଅଭୟାରଣ୍ୟରୁ । ଶିକାରୀଙ୍କ ପ୍ରକୋପରୁ ଅଭୟାରଣ୍ୟକୁ ସୁରକ୍ଷା ଦେବାପାଇଁ ବନବିଭାଗ ପକ୍ଷରୁ ଜଙ୍ଗଲରେ ଲଗାଯାଇଥିବା କ୍ୟାମେରାରେ ଏଭଳି ଦୃଶ୍ୟ କଏଦ ହୋଇଛି ।

ଏକ ଫଟୋକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ସୂଚନା ଅନୁସାରେ ଗୋଟିଏ ସ୍ଥାନରେ ମାତ୍ର କିଛି ସମୟ ବ୍ୟବଧାନରେ ବାଘ ଓ ମଣିଷ ଚଳପ୍ରଚଳ କରିଛନ୍ତି । ଆଉ କ୍ୟାମେରାରେ ଏ ଦୃଶ୍ୟ କଏଦ ହୋଇଛି । ବାଘଟି ଜଙ୍ଗଲର ଏକ ରାସ୍ତାରେ ଅତିକ୍ରମ କରିବାର ମାତ୍ର କିଛି ମିନିଟ୍ ପରେ ଏକ ଛୋଟ ଝିଅ ଓ ତାଙ୍କ ସମ୍ପର୍କୀୟ ସେହି ରାସ୍ତା ଦେଇ ଯାଉଥିବାର ଦେଖିବାକୁ ମିଳିଛି । ଯାହା ବୟାନ କରୁଛି ଯେ, ଅଭୟାରଣ୍ୟରେ ମଣିଷ ଓ ବାଘ ଗୋଟିଏ ସ୍ଥାନରେ ବସବାସ କରୁଛନ୍ତି । ଗୋଟିଏ ପଟେ ମହାବଳଙ୍କ ସଂଖ୍ୟା ବୃଦ୍ଧି ଏବଂ ଅନ୍ୟପଟେ ଏମିତି ରୋଚକ ଦୃଶ୍ୟ ବନ୍ୟପ୍ରାଣୀ ପ୍ରେମୀଙ୍କ ମନରେ ଉତ୍ସାହ ଭରି ଦେଇଛି ।