ଏବେ ବି ବିଞ୍ଚିଛି ମାନବିକତା । ଅନ୍ୟ ମୁହଁରେ ହସ ଫୁଟାଇବା ପାଇଁ ବାପାଙ୍କ ଗଙ୍ଗାଭୋଜିକୁ ବନ୍ଦ କରିଦେଲେ ଯୁବକ

473

କନକ ବ୍ୟୁରୋ : ଏବେ ବି ବଞ୍ଚିଛି ମଣିଷ ପଣିଆ ଓ ମାନବିକତା । ଅନ୍ୟକୁ ସାହାଯ୍ୟ କରିବା ପାଇଁ ଅନେକଙ୍କ ମନରେ ରହିଛି ଆଗ୍ରହ । ସାମାଜିକ ନିତିନିୟମରୁ ଉର୍ଧ୍ୱକୁ ଯାଇ ଯୁବକ ଏମିତି କିଛି କରିଛନ୍ତି ଯାହାକୁ ନେଇ ସାରା ସହରରେ ତାଙ୍କର କରାଯାଉଛି ପ୍ରଶଂସା । ଅନ୍ୟକୁ ସାହାଯ୍ୟ କରିବା ଲାଗି ପରିବାରର ଗଙ୍ଗାଭୋଜିକୁ ବନ୍ଦ କରି ଏବେ ଚର୍ଚ୍ଚାରେ ଶିବ ବାରିକ ।

ନିଆରା ମଣିଷ ପଣିଆ ଆଗରେ ହାର ମାନିଲା ସାମାଜିକ ନିତିନିୟମ । ଜଣେ ପୁଅ ନିଜ ବାପାଙ୍କ ଗଙ୍ଗାଭୋଜି ବାତିଲ କରିଦେଲା । କେବଳ ଯେ, ଭୋଜି ବାତିଲ କରିଦେଲେ ତା ନୁହେଁ ସେହି ଭୋଜି ଟଙ୍କା ଜଣେ ଗରୀବର ଚିକିତ୍ସା ପାଇଁ ଦେଇ ଦେଲେ । ଏ ହେଉଛନ୍ତି ସମ୍ବଲପୁର ଚେରୁଆପଡାର ଶିବ ବାରିକ । ଶିବଙ୍କ ବାପାଙ୍କ ପରଲୋକ ହୋଇଯାଇଛି । ତେବେ ହିନ୍ଦୁ ପରମ୍ପରା ଅନୁସାରେ ଦଶାହ କର୍ମ ସରିବା ପରେ ଗଙ୍ଗାଭୋଜିର ଆୟୋଜନ କରାଯାଇଥିଲା । କିନ୍ତୁ ଯେତେବେଳେ କୁନି ଝିଅ ଖୁସି କଥା ଶିବ ଜାଣିଲେ ସବୁ ଯୋଜନାକୁ ବଦଳାଇ ଦେଲେ ।

“ୱିଲ୍ସନ”ରେ ପିଡିତ ଥିବା କୁନି ଝିଅ ଖୁସି ମୁହଁରେ ଖୁସି ଫେରାଇ ଆଣିବାର ପ୍ରୟାସ କରିଛନ୍ତି ଶିବ । ଖୁସିକୁ ବଂଚାଇବା ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । ମହାନ ଯୁବକଙ୍କ ମହାନ କାମକୁ ନେଇ ସବୁଆଡେ ଏବେ ଚାଲିଛି ଚର୍ଚ୍ଚା । ନିଜ ବାପାଙ୍କ ଗଙ୍ଗାଭୋଜିରେ ଖର୍ଚ୍ଚ ହେବାକୁ ଥିବା ୧୫ ହଜାର ଟଙ୍କାକୁ ଖୁସିକୁ ଦେଇଦେଇଛନ୍ତି ଶିବ । ଶଯ୍ୟାଶାୟୀ ହୋଇ ରହିଥିବା ଖୁସିର ରୋଗ ଭଲ ପାଇଁ ଉଦ୍ୟମ କରିଛନ୍ତି ସମ୍ପୃକ୍ତ ଯୁବକ ।

ଖୁସି ମୁହଁରେ ଖୁସି ଫେରାଇ ଆଣିବାକୁ ଉଦ୍ୟମ କରୁଥିବା ଶିବଙ୍କର ବି ଆର୍ଥିକ ଅବସ୍ଥା ଏତେଟା ସ୍ୱଚ୍ଛଳ ନୁହେଁ । ସେଲୁନ ଖଣ୍ଡେ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ତେବେ ଚିକିତ୍ସା ପାଇଁ ଅନେକ ଅର୍ଥ ଦରକାର ପଡୁଥିବା ବେଳେ ସାହାଯ୍ୟର ହାତ ବଢାଇଥିବା ଶିବଙ୍କୁ ସମସ୍ତେ ପ୍ରଶଂସା ବି କରିଛନ୍ତି ।