କନକ ବ୍ୟୁରୋ: କୁନିଝିଅର ବୁକୁଫଟା କାନ୍ଦ। ‘ବାପା ବାପା’ର ବିକଳ ଡାକ । ରାସ୍ତା ଉପରେ ଆହତ ହୋଇ ସହାୟତା ଅପେକ୍ଷାରେ ପଡ଼ିଥିଲେ ବାପା। କୁନିଝିଅର କାନ୍ଦ ଛାତି ଥରାଇ ଦେଉଥିଲା। ସଂଜ୍ଞାହୀନ ବାପାଙ୍କୁ ଉଠାଇବାକୁ ଚେଷ୍ଟା କରି ବି ପାରୁ ନଥିଲା କୁନି ହାତ ଦୁଇଟି। ରାସ୍ତାରେ ଯାଉଥିବା ସମସ୍ତେ ଦେଖୁଥିଲେ ଏ ଚିତ୍ର । ପୁଣି ନିଜ ବାଟରେ ଚାଲିଯାଉଥିଲେ। ସେମାନଙ୍କୁ ଉଠାଇଥିଲେ ଯେମିତି କରୋନା ସଂକ୍ରମଣ ହୋଇଯିବ! ଏମିତି ହୃଦୟ ବିଦାରକ ଚିତ୍ର ଗତକାଲି ଯାଜପୁର ଜିଲ୍ଲା ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳ ଟମକା-ମଙ୍ଗଳପୁରର କୁସୁମୁଣ୍ଡିଆ ବାଘପଡ଼ିଆ ରାସ୍ତାରେ ଦେଖିବାକୁ ମିଳିଛି।
ଖବର ଅନୁସାରେ ଗତକାଲି ପୁଅର ପ୍ରଥମ ଜନ୍ମଦିନ ଥିଲା। ଏଣୁ ବାପା ସୂର୍ଯ୍ୟମଣି ହାଁସଦା ଝିଅ ଜବାକୁ ଧରି ଓଏମ୍ସି କାଳିଆପାଣି କଲୋନିସ୍ଥିତ କ୍ବାର୍ଟର୍ସରୁ ୯ କିଲୋମିଟର ଦୂର ମହୁଲଖାଲ ଗାଁର ଶ୍ବଶୁର ଘରକୁ ସ୍କୁଟିରେ ବାହାରିଥିଲେ। ସାଙ୍ଗରେ ନୂଆ ପୋଷାକପତ୍ର, କେକ୍, ବେଲୁନ ଓ ଅନ୍ୟାନ୍ୟ ଉତ୍ସବ ସାମଗ୍ରୀ ନେଉଥିଲେ। କିନ୍ତୁ ବାଟରେ କୌଣସି କାରଣରୁ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରିବାରର ଖୁସି ହଠାତ୍ ମିଳାଇ ଯାଇଥିଲା। ପରେ ବାପଝିଅଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି।