ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା, ମା’ । ଖର୍ଚ୍ଚ ହେଲାଣି ୯ଲକ୍ଷ ଆହୁରି ଦରକାର ୫ରୁ ୭ଲକ୍ଷ ଟଙ୍କା ।

288

କନକ ବ୍ୟୁରୋ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପୁଅର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ବାପା, ମା’ । ହସ୍ପିଟାଲରେ ଥିବା ପୁଅର ଫଟୋକୁ ଧରି ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ବାପା ମା’ । ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସିତ ହେଉଥିବା ପୁଅ ପାଇଁ ବାପା ମା’ ସବୁ ପ୍ରୟାସ କରି ବିଫଳ ହେବା ପରେ ଶେଷରେ ଏହି ଉପାୟ ଆପଣାଇଛନ୍ତି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବଡଗଡିଆ ଗ୍ରାମରେ ।

ଗୋଟିଏ ପଟେ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛି ପୁଅ । ଅନ୍ୟପଟେ ପୁଅ ଜୀବନ ବଞ୍ଚାଇବାକୁ ଗାଁ ଦାଣ୍ଡରେ ବୁଲି ସଂଗ୍ରାମ କରୁଛନ୍ତି ବାପା, ମା’ । ‘ବାବୁ କିଛି ସାହାଯ୍ୟ କର ବାବୁ, ଆପଣ ସାହାଯ୍ୟ କଲେ ଆମ ପୁଅର ଅପରେସନ ହେବ, କୋହଭରା କଣ୍ଠରେ ଏପରି କହି ଭିକ୍ଷା ମାଗୁଛନ୍ତି ବାପା, ମା’ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବଡଗଡିଆ ଗ୍ରାମରେ । ଗ୍ରାମର ଷୃଷ୍ଟିଧର ବେହେରାଙ୍କ ପୁଅ ଭବେଶ ଗତ ଅଗଷ୍ଟ ୧୩ ତାରିଖରେ ୬୦ନଂ ଜାତୀୟ ରାଜପଥରେ ଏକ କାର ଧକ୍କାରେ ଗୁରୁତର ଆହତ ହୋଇଥିଲେ । ଏବେ ଭବେଶ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଆହୁରି ୫ରୁ ୭ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ।

ମାସଟେରୁ ଅଧିକ ସମୟ ଧରି ଚିକିତ୍ସିତ ହେବା ପରେ ମଧ୍ୟ ଏପର୍ଯ୍ୟନ୍ତ ଭବେଶଙ୍କ ଚେତା ଫେରିନାହିଁ । ଆଗକୁ କଣ ହେବ କିଛି ଜଣାନଥିବା ବେଳେ ପୁଅ ପାଇଁ ସବୁକିଛି ହରାଇ ସାରିଲେଣି ବାପା,ମା’ । ଚିକିତ୍ସା ପାଇଁ ବାପା ସମସ୍ତ ଜମିବାଡି ବିକ୍ରି ସହ ଘରେ ଥିବା ଗାଇ ଦୁଇଟିକୁ ମଧ୍ୟ ବିକ୍ରି କରି ଦେଇଛନ୍ତି । ପୃଷ୍ଟିଧରଙ୍କ ସମ୍ପତି କହିଲେ ଆଜବେଷ୍ଟର ଛପର ଘର, ୧୫ ଡେସିମିଲ ଚାଷ ଜମି । ମୁଲ ଲାଗି ପରିବାରର ଗୁଜୁରାଣ ମେଣ୍ଟାନ୍ତି ପୃଷ୍ଟିଧର । ଅଗଷ୍ଟ ୧୩ ତାରିଖରେ ଭବେଶ କ୍ଷୀର ବିକ୍ରି କରିବା ପାଇଁ ଗୋଡିଖାଲ ଯାଉଥିବା ବେଳେ ଏକ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଭବେଶର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ଭବେଶଙ୍କୁ ବସ୍ତା ପରେ ବାଲେଶ୍ୱର ମେଡିକାଲ ନିଆଯାଇଥିଲା ମାତ୍ର ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ସାହାଯ୍ୟ ପାଇଁ ପ୍ରଶାସନିିକ ଅଧିକାରୀ, ରାଜନେତାମାନଙ୍କୁ ଗୁହାରି ହୋଇଥିଲେ କିଛି ସୁଫଳ ମିଳିପାରି ନାହିଁ । ଚିକିତ୍ସା ପାଇଁ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ପୁଅର ଜୀବନ ବଞ୍ଚାଇବା ପାଇଁ ସହାୟତା ଅପେକ୍ଷାରେ ଅସହାୟ ବାପା, ମା’ ।