କନକ ବ୍ୟୁରୋ : ବିବାଦ ଘେରରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଅଭିଯୋଗ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିବା ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଜଗନ୍ନାଥଙ୍କ ଭଜନ ଗାଇବା ତାଙ୍କ ଧର୍ମରେ ନାହିଁ ବୋଲି ହ୍ୟୁମାନ ସାଗର କହିବା ପରେ ଏହି ବିବାଦ ବଢିଛି । ତେବେ ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ତାଙ୍କୁ ଗୀତ ଗାଇବାକୁ ବାଧ୍ୟ କରିବାରୁ ସେ ତାଙ୍କୁ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।

Advertisment

ଏପରିକି ଜାପାନୀ କଟକ ଆସିଲେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଛନ୍ତି । ଏନେଇ ଜାପାନୀ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ବିବାଦ ବଢିଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରୁଥିବାବେଳେ ହ୍ୟୁମାନ ସାଗରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓଲିଉଡରେ ଏକାଧିକ ଗୀତଗାଇ ଓଡିଶାର ଘରେ ଘରେ ପହଞ୍ଚି ପାରିଛନ୍ତି ।

ତାଙ୍କୁ ନେଇ ଏଭଳି ବିବାଦ ପରେ ଚାରିଆଡୁ ଉଦଗେବ ପ୍ରକାଶ ପାଇଛି । କଂଗ୍ରେସ ନେତା ଅମୀୟ ପାଣ୍ଡବ ହ୍ୟୁମାନ ସାଗରଙ୍କ ସପକ୍ଷରେ ସୋସିଆଲ ମିଡିଆରେ ମତ ରଖିଛନ୍ତି । ତାଙ୍କ ଲୋକପ୍ରିୟତାରେ ଇର୍ଷାନ୍ୱିତ ହୋଇ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ତାଙ୍କ ବିରୋଧରେ ଏଭଳି ଷଡ ଯନ୍ତ୍ର କରୁଥିବା ସେ ଫେସବୁକ ପୋଷ୍ଟରେ ଲେଖିଛନ୍ତି ।

ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀଙ୍କ ଏକ ପୁରୁଣା ଭିଡିଓ । ଢେଙ୍କାନାଳର ଏକ କାର୍ଯ୍ୟକ୍ରମରେ ସେ କିଭଳି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଉଥିଲେ ସେହି ଭିଡିଓ ଏବେ ସାମ୍ନାକୁ ଆସିଛି । ଜଗନ୍ନାଥଙ୍କ ଭଜନ ନଗାଇଲେ ହ୍ୟୁମାନଙ୍କୁ ବିରୋଧ କରାଯିବ ବୋଲି ଏହି ଭିଡିଓରେ କହୁଛନ୍ତି ଜାପାନୀ ।