ବେହାଲ କଲା ବର୍ଷା, ଅସ୍ତବ୍ୟସ୍ତ ଓଡ଼ିଶା । ସବୁ ରେକର୍ଡ ଭାଙ୍ଗିଲା ରାଜଧାନୀ ବର୍ଷା, ପାଣିରେ ଭାସିଲା ଯାଜପୁର ।

367

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇଛନ୍ତି । କଟକରୁ କେନ୍ଦ୍ରାପଡା, ଭୁବନେଶ୍ୱରରୁ ପୁରୀ ସବୁଠି ଜନଜୀବନ ପ୍ରଭାବିତ ହୋଇଛି । କେଉଁଠି ଘର ଭିତରେ ପାଣି ପଶିଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ଲହଡି ଭାଙ୍ଗୁଛି ପାଣି । ବର୍ଷା ପାଣି ଜମିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅନେକ ଲୋକ ।

ଲଗାତାର ବର୍ଷା ସ୍ମାର୍ଟ ସିଟି ଭୁବନେଶ୍ୱରର ଏମିତି ହାଲ କରିଛି, ଯାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଘର ଭିତରେ, ରୋଷେଇ ଘରେ, ବେଡ ରୁମରେ ସବୁଠି ଢେଉ ଭାଙ୍ଗୁଛି ପାଣି । ରାଜଧାନୀର ଭୀମଟାଙ୍ଗି ଅଞ୍ଚଳରେ ଏମିତି ଅବସ୍ଥା ହୋଇଥିଲା, ଲୋକେ ଘରେ ରହିବେ କି ବାହାରକୁ ଚାଲିଯିବେ କିଛି ବୁଝି ପାରୁନଥିଲେ । ୬୩ ବର୍ଷ ପରେ ସେପ୍ଟେମ୍ବର ମାସରେ ରାଜଧାନୀରେ ଏହି ବର୍ଷା ରେକର୍ଡ କରିଛି । ୧୯୫୮ରେ ଏଭଳି ଏକ ବର୍ଷା ହୋଇଥିଲା ।

ଟ୍ରେନ ଟ୍ରାକ ଉପରେ ଚାଲିଲା ପାଣି । ଭୁବନେଶ୍ୱର ରେଳଷ୍ଟେସନରେ ଅଭାବନୀୟ ଚିତ୍ର । ଭୁବନେଶ୍ୱର ରେଳ ଷ୍ଟେସନରେ ବର୍ଷା ପାଣି ବୟାନ କରୁଥିଲା ଯେତେବେଳେ ପ୍ରକୃତି, ତାଣ୍ଡବ ରଚେ ସେତେବେଳେ ସମସ୍ତେ ଅସହାୟ ହୋଇଯାଆନ୍ତି । ଟ୍ରେନ୍ ଟ୍ରାକ୍ ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲିବା ଅନେକଙ୍କୁ ଅସୁବିଧାରେ ପକାଇଥିଲା ।

ସେପଟେ ପୁରୀ ଜିଲ୍ଲାରେ ବି ରେକର୍ଡ ବର୍ଷା । ସେପ୍ଟେମ୍ବର ମାସରେ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ବର୍ଷା ହୋଇଛି । ୧୯୩୪ ସେପ୍ଟେମ୍ବର ୨୦ ତାରିଖରେ ୨୧୦ ମିଲିମିଟର ବର୍ଷା ପରେ ଅସ୍ତରଙ୍ଗରେ ସର୍ବାଧିକ ୫୩୦ ମିମି ବର୍ଷା ହୋଇଛି । ସେହିପରି କାକଟପୁରରେ ୫୨୦ ମିମି, ଗୋପରେ ୩୩୧ ମିମି ବର୍ଷା ରେକର୍ଡ କରାଯାଇଛି ।

କଟକ କ୍ୟାନସର ହସ୍ପିଟାଲରେ ପଶିଲା ପାଣି 
ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲ ଭିତରେ ବି ଲହଡି ମାରୁଥିଲା ବର୍ଷାପାଣି । ଅନକୋଲଜି ଓ ରେଡିଓଲୋଜି ବିଭାଗରେ ପଶିଯାଇଥିଲା ବର୍ଷାପାଣି । ବର୍ଷାର କୋପ ଏମିତି ଥିଲା ଯେ, ଏହାକୁ ରୋକିବା ଆଉ ସମ୍ଭବ ନଥିଲା ।

ବର୍ଷାରେ ଫସିଲା ଆମ୍ବୁଲାନ୍ସ
ଏଭଳି ଚିତ୍ର ଖୋଦ୍ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ରାସ୍ତାରେ ବର୍ଷା ପାଣି ଜମି ରହିବା ଯୋଗୁଁ ଆମ୍ବୁଲାନ୍ସ ଫସି ରହିଥିଲା । ତେବେ କିଛି ଲୋକ ଆମ୍ବୁଲାନ୍ସକୁ ଠେଲି ଠେଲି ପାଣିରୁ ବାହାର କରିଥିଲେ ।

ପାଣିରେ ଭାସିଲା ଯାଜପୁର । ଘରେ ପଶିଲା ବର୍ଷାପାଣି ।
ଲଗାଣ ବର୍ଷାରେ ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା । ବର୍ଷା ପାଣି ଜମିରହିବା ଯୋଗୁଁ କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଆଉ କିଛି ଘରେ ପାଣି ପଶିଯାଇଥିଲା ।