ବିଚ୍ଛେଦ ଚାହୁଁନାହାନ୍ତି ବର୍ଷା, ଅନୁଭବଙ୍କ ମତ ଅସ୍ପଷ୍ଟ । ଘରେ ପହଁଚି ଆଲୋଚନା କଲେ ଅନ୍ତର୍ଜାତୀୟ ମାନବାଧିକାର ସଂସ୍ଥାର ସଦସ୍ୟ । ବର୍ଷା କହିଲେ ପରିବାର ନୁହେଁ, ସ୍ୱାମୀ ଦେଉଛନ୍ତି ନିର୍ଯାତନା; ଅନୁଭବ କହିଲେ ମିଛ କହୁଛନ୍ତି ବର୍ଷା

3,355

କନକ ବ୍ୟୁରୋ: ଆଜି ଅଭିନେତ୍ରୀ ବର୍ଷା, ଏକ ଅନ୍ତର୍ଜାତୀୟ ମାନବାଧିକାର ସଂସ୍ଥା ଆଗରେ ତାଙ୍କ ପରିବାରରେ ଘଟିଥିବା ଘଟଣା ଉପରେ ମୁହଁ ଖୋଲିଛନ୍ତି । ବର୍ଷା କହିଛନ୍ତି, ପରିବାରରେ ତାଙ୍କୁ ଆଉ କେହି ନିର୍ଯାତନା ଦେଉ ନାହାନ୍ତି, କେବଳ ଅନୁଭବ ଦେଉଛନ୍ତି । ସେ ବିବାହ ବିଚ୍ଛେଦ ଚାହୁଁ ନାହାନ୍ତି, ଘଟଣାର ଆପୋଷ ସମାଧାନ ଚାହୁଁଛନ୍ତି । ସେପଟେ ଅନୁଭବ ଏହି ସଂସ୍ଥାର ସଦସ୍ୟକୁ କହିଛନ୍ତି, ବିବାହ ବିଚ୍ଛେଦ ଉପରେ ସେ ବର୍ତମାନ କିଛି କହିପାରିବେ ନାହିଁ । ଏବଂ ନିର୍ଯାତନାକୁ ନେଇ ବର୍ଷା ମିଛ କହୁଛନ୍ତି ବୋଲି ଅନୁଭବ ଅଭିଯୋଗ କରିଛନ୍ତି ।

ବିଗିଡି ଯାଇଥିବା ସମ୍ପର୍କକୁ ସଜାଡ଼ିବା ପାଇଁ ଇଏ ହେଉଛି ଏକ ଛୋଟିଆ ପ୍ରୟାସ । ବର୍ଷା-ଅନୁଭବ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼, ଯେମିତି ନିୟନ୍ତ୍ରଣ ବାହାରକୁ ଚାଲିନଯିବ ସେନେଇ ଉଦ୍ୟମ କରିଛନ୍ତି କିଛି ମାନବାଧିକାର କର୍ମୀ । କଟକ ଚୌଧୁରୀବଜାର ନନ୍ଦି ସାହିରେ ଥିବା ଅନୁଭବଙ୍କ ଘରେ ପହଂଚିଛି ଅଲଗା ଅଲଗା ବର୍ଷା ଓ ଅନୁଭବଙ୍କ ସହ ଆଲୋଚନା କରିଛନ୍ତି ମାନବାଧିକାର କର୍ମୀ । ଦୀର୍ଘ ସମୟର ଏହି ଆଲୋଚନାରେ ଉଭୟ ବର୍ଷା ଏବଂ ଅନୁଭବଙ୍କ ପକ୍ଷ ଜାଣିବାକୁ ଚେଷ୍ଟା କରିଥିଲେ ଇଂଟରନ୍ୟାସନାଲ ହ୍ୟୁମାନ ରାଇଟ୍ ସଂସ୍ଥାର କିଛି କର୍ମୀ । ଆଉ ଏହି ଆଲୋଚନାରେ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ।

-ଶାଶୁ, ଶ୍ୱଶୁର ଏବଂ ଦିଅରଙ୍କୁ ନେଇ କୌଣସି ଅଭିଯୋଗ ନାହିଁ

-କେବଳ ସ୍ୱାମୀ ଅନୁଭବ ହିଁ ଦେଇଛନ୍ତି ନିର୍ଯାତନା

-ମଦ ପିଈ ଗାଳି ଗୁଳଜ କରୁଥିଲେ, ଅଭଦ୍ରଭାଷା ବ୍ୟବହାର କରୁଥିଲେ

– ସେ ବିବାହ ବିଚ୍ଛେଦ ଚାହୁଁ ନାହାଁନ୍ତି, ଚାହାଁନ୍ତି ଆପୋଷ ସମାଧାନ

ସେହିପରି ଏହି ଆଲୋଚନା ବେଳେ ମାନବାଧିକାର କର୍ମୀଙ୍କୁ କହିଛନ୍ତି-

– ବିହାହ ବିଚ୍ଛେଦ ଉପରେ ଚୁଡ଼ାନ୍ତ କିଛି କହିପାରିବେ ନାହିଁ

-ଆପୋଷ ବୁଝାମଣା ସମ୍ପର୍କରେ ଏବେ କିଛି କହିପାରିବେ ନାହିଁ

-ସେ ଅଭ୍ୟାସଗତ ମଦୁଆ ନୁହଁନ୍ତି, ବର୍ଷାଙ୍କ ଅଭିଯୋଗ ମିଛ

-ଭୁଲ କଲେ ସୁଧାର ପାଇଁ ଗାଳି କରିଥାଇପାରନ୍ତି

ଏପଟେ ବର୍ଷା-ଅନୁଭବ ବିବାଦ ଘଟଣାରେ ଓଲିଉଡ କଳାକାରଙ୍କ ମଧରେ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସୁଛି । କିଏ ବର୍ଷାଙ୍କୁ ସମର୍ଥନ କରୁଛନ୍ତି ତ ଆଉ କିଏ ଅନୁଭବ ମହାନ୍ତିଙ୍କୁ ସମର୍ଥନ କରୁଛନ୍ତି । ଅଭିନେତ୍ରୀ ପ୍ରକୃତି ମିଶ୍ର ଟ୍ୱିଟ୍ କରି ଲେଖିଛନ୍ତି- ଯିଏ ଆପଣଙ୍କୁ ଭଲରେ ଜାଣିଛି ସିଏ ଠିକ୍ ଜାଣିଛି ପୁରା ଘଟଣାଟି କ’ଣ? ଆପଣ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଆପଣଙ୍କୁ ସ୍ପଷ୍ଟିକରଣ ଦେବାର ଅବଶ୍ୟକତା ନାହିଁ । ସତ୍ୟର ବିଜୟ ହେବ । ଆମେ ଆପଣଙ୍କ ସାଥୀରେ ଅଛୁ । ସେହିପରି ଅଭିନେତ୍ରୀ ସମ୍ଭାବନା ମହାନ୍ତି ଟ୍ୱିଟ୍ କରି ଲେଖିଛନ୍ତି- ପକ୍ଷପାତି ହୁଅ ନାହିଁ । ପୂର୍ବରୁ ସଂଜୟ ନାୟକ ମଧ୍ୟ ଅନୁଭବଙ୍କ ସମର୍ଥନରେ ଯୁକ୍ତି ରଖିଥିଲେ । ଏପଟେ ଅଭିନେତ୍ରୀ ବିଦୁସ୍ମିତା ବର୍ଷାଙ୍କ ସପକ୍ଷରେ ପ୍ରତିକ୍ର୍ରିୟା ରଖିଛନ୍ତି ।
ଅଭିନେତା ଓ ଅଭିନେତ୍ରୀଙ୍କ ବୟାନ ଏବଂ ସାମାଜିକ କର୍ମୀ ଓ ମାନବାଧିକାର କର୍ମୀଙ୍କ ଉଦ୍ୟମ ଭିତରେ ବର୍ଷା ଓ ଅନୁଭବ ବିବାଦ ମାମଲା କେଉଁ ମୋଡ଼ ନେଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।