ଆଇସ୍କ୍ରିମ୍ ଖାଉଥିଲେ ସାବଧାନ ! କୋନ୍ ଆଇସ୍କ୍ରିମରୁ ବାହାରିଲା ମଣିଷର କଟା ଆଙ୍ଗୁଠି ।

1,878

କନକ ବ୍ୟୁରୋ: ପ୍ରବଳ ଗରମରେ ଅସ୍ତବ୍ୟସ୍ତ ହେଉଛି ଜୀବନ । ଖରା ଏତେ ହେଉଛି ଯେ ମଣିଷ ତାତିରୁ ଟିକେ ତ୍ରାହି ପାଇବାକୁ ପ୍ରବଳ ପାଣି, ନହେଲେ ମୃଦୁ ପାନୀୟ ନହେଲେ ଆଇସ୍କ୍ରିମ୍ ଖାଉଛି । ଏମିତି ଏକ ଗ୍ରୀଷ୍ମ ଦିବସରେ ଆଇସ୍କ୍ରିମ୍ ଖାଇବାକୁ ମନ କରିଥିଲେ ମୁମ୍ବାଇର ଦୁଇ ଭାଇ ଭଉଣୀ । ଆଇସ୍କ୍ରିମ୍ ଖାଇବାର ଇଚ୍ଛା ଥିବାରୁ ସାଙ୍ଗେ ସାଙ୍ଗେ ଅନଲାଇନରେ ଅର୍ଡର ବି କଲେ । ଆଉ କିଛି ସମୟ ପରେ ଆଇସ୍କ୍ରିମ୍ ଆସି ପହଞ୍ଚିଗଲା । ଯୁବତୀ ଜଣଙ୍କ ଆଇସ୍କ୍ରିମ୍ ପହଞ୍ଚୁ ପହଞ୍ଚୁ ଖୋଲି ଖାଇବାକୁ ଲାଗିଲେ । ହେଲେ ହଠାତ୍ ଆଇସ୍କ୍ରିମରେ କିଛି ଗଡବଡ ଅନୁଭବ କଲେ, ଆଉ ପରେ ଯେତେବେଳେ ସମ୍ପୂର୍ଣ୍ଣ ଆଇସ୍କ୍ରିମ୍ ଖୋଲି ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କିଛି ସମୟ ଆଗରୁ ସୁଆଦିଆ ଲାଗୁଥିବା ଆଇସ୍କ୍ରିମ୍ ଭିତରେ ଯେ ଗୋଟେ ମଣିଷର ଆଙ୍ଗୁଠି ଥିବ ତାହା କେବେ ସେ କଳ୍ପନା କରି ନଥିଲେ । କୋନ୍ ଆଇସ୍କ୍ରିମରେ ମଣିଷ ଆଙ୍ଗୁଠି ଦେଖି ଆଶ୍ଚର୍ଯ୍ୟ ହେବା ପରେ ସିଧା ମଲାଡ୍ ଥାନାରେ ପହଞ୍ଚିଥିଲେ । ତେବେ ଘଟଣାର ଯାଞ୍ଚ କରିବା ସହ ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଉକ୍ତ ଆଇସ୍କ୍ରିମ୍ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି । ତାସହ ଆଇସ୍କ୍ରିମ୍ ଏବଂ ମିଳିଥିବା କଟା ଆଙ୍ଗୁଠିକୁ ଫରେନସିକ୍ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି । ତେବେ ଏହି ଘଟଣା ପରେ ମୁମ୍ବାଇରେ ହଇଚଇ ସୃଷ୍ଟି ହୋଇଛି ।