ରାସ୍ତା ଉପରେ ମାନବ ଶୃଂଖଳ: ହଳଦିଆ ପେଟ୍ରୋକେମିକାଲ ଇଂଟିଗ୍ରେଟେଡ୍ ରିଫାଇନାରୀ ପ୍ଲାଂଟ ଓ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପକୁ ଜୋରଦାର ବିରୋଧ

ଭିଟାମାଟି ନଦେବା ଦାବିରେ ଅଟଳ ୬ଟି ପଂଚାୟତର ଲୋକେ ୨୪ କିମିର ମାନବ ଶୃଙ୍ଖଳ କରିଛନ୍ତି

133

କନକ ବ୍ୟୁରୋ: ଭିଟାମାଟିକୁ ନିଜର କରି ରଖିବା ପାଇଁ ମାନବ ଶୃଙ୍ଖଳ । କୌଣସି ପରିସ୍ଥିତିରେ ବି କମ୍ପାନୀ ହାତରେ ଭିଟାମାଟିକୁ ଟେକି ଦିଆଯିବ ନାହିଁ । ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ । ଏମିତି କିଛି ଦାବି ନେଇ ରାସ୍ତା ଉପରେ ୨୪ କିଲୋମିଟର ବ୍ୟାପିି ମାନବ ଶୃଙ୍ଖଳ କରିଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ୬ଟି ପଂଚାୟତର ହଜାର ହଜାର ଲୋକ । ହଳଦିଆ ପେଟ୍ରୋକେମିକାଲ ଇଂଟିଗ୍ରେଟେଡ୍ ରିଫାଇନାରୀ ପ୍ଲାଂଟ ଓ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପକୁ ବିରୋଧ କରୁଛନ୍ତି ଏମାନେ । ବଙ୍ଗୋପସାଗର ସଂଲଗ୍ନ ଜମ୍ବିରାଇ, ନୂଆଗାଁ, ବାଲିବିଲ, ବେତଗଡିଆ ଭଳି ୬ଟି ପଂଚାୟତର ଜାଗା ନେଇ ସେଠାରେ ଏହି ଦୁଇ ପ୍ରକଳ୍ପ କରିବା ପାଇଁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇ ସାରିଛନ୍ତି ।

ପେଟ୍ରୋକେମିକାଲ ଇଂଟିଗ୍ରେଟେଡ୍ ରିଫାଇନାରୀ ପ୍ଲାଂଟ ଓ ସୁବର୍ଣ୍ଣରେଖା ବନ୍ଦର ହେଲେ ଏଠାରେ ସ୍ଥାନୀୟ ଅଂଚଳର ବହୁ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ହେଲେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଉପକୂଳ ଭିଟାମାଟି ସୁରକ୍ଷା ସମିତି । ବଙ୍ଗୋପସାଗର ଉପକୂଳରେ ଥିବା ଏହି ଅଂଚଳର ଉର୍ବର ମାଟିରେ ଧାନ, ପାନ, ମୀନ, ନଡିଆ ଓ ପନିପରିବା ଚାଷ କରି ଲୋକେ ପରିବାର ପ୍ରତିପୋଷଣ କରନ୍ତି ।

ଜମିରେ କମ୍ପାନୀ ହେଲେ ଲୋକେ ଭିଟାମାଟି ହରାଇବା ସହ ଜୀବିକା ମଧ୍ୟ ହରାଇବେ । ତେଣୁ କୌଣସି ପରିସ୍ଥିତିରେ କମ୍ପାନୀ ପାଇଁ ଜମି ଦିଆଯିବ ନାହିଁ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି । ନିଜ ଦାବି ଜଣାଇବା ପାଇଁ ବାଲିଆପାଳ ପଂଚୁପାଲି ପଂଚାୟତର ଦ୍ୱାରିକା ଠାରୁ କଙ୍କଡାପାଳ ମୂହାଣ ପର୍ଯ୍ୟନ୍ତ ୨୪ କିଲୋମିଟର ଯାଏଁ ମାନବ ଶୃଙ୍ଖଳା କରିଛନ୍ତି । ୍ରଶାସନ ଯଦି ଦାବୀ ନଶୁଣେ ତେବେ ଆଗକୁ ଆନ୍ଦୋଳନ ଆହୁରୀ ଯୋରଦାର ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।