କନକ ବ୍ୟୁରୋ: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟାଙ୍କ ମଧ୍ୟରେ ଚାଲିଥିବା ବିବାଦ କେଉଁ ମୋଡ଼ ନେଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର । ଆଉ ଏହାରି ଭିତରେ ପୁଣି ଥରେ ପତ୍ନୀ ଶ୍ରେୟାଙ୍କ ଅଭିଯୋଗକୁ ମିଛ ବୋଲି କହିଛନ୍ତି ହ୍ୟୁମାନ୍ । କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି, ଶ୍ରେୟାଙ୍କୁ ସେ ସବୁ ଟଙ୍କା ପଇସା ରଖିବାକୁ ଦେଉଥିଲେ, କିନ୍ତୁ ହିସାବ ମାଗିବାରୁ ଶ୍ରେୟା ତାହା ଦେଇପାରିନଥିଲେ । ଦୁହିଁଙ୍କ ମଧ୍ୟରେ ଏହା ମନାନ୍ତରର କାରଣ ହୋଇପାରେ ବୋଲି କହିଛନ୍ତି ହ୍ୟୁମାନ୍ ।
ଗୋଟିଏ ପଟେ, ରାତିରେ ହ୍ୟୁମାନ ମଦ ପିଇ ପତ୍ନୀଙ୍କୁ ମାଡ ମାରୁଥିଲେ ଓ ସକାଳେ ଏଥିଲାଗି କ୍ଷମା ମାଗୁଥିଲେ ବୋଲି ଅଭିଯୋଗ ରହିଥିବା ବେଳେ ବୋହୂ ମଦ ଖାଉଥିବା ନେଇ ହ୍ୟୁମାନ ସାଗରଙ୍କ ମାଆ ଯେଉଁ ଅଭିଯୋଗ ଆଣିଛନ୍ତି, ତାକୁ ସମର୍ଥନ କରିଛନ୍ତି ହ୍ୟୁମାନ । ପତ୍ନୀଙ୍କୁ ନିର୍ଯାତନା,ଧର୍ମାନ୍ତରଣ ପାଇଁ ଚାପ ପକାଇବା ଭଳି ଯେତେ ଅଭିଯୋଗ ରହିଛି, ସବୁକିଛି ଖଣ୍ଡନ କରିଛନ୍ତି । ୮ ବର୍ଷ ଧରି ପତ୍ନୀଙ୍କୁ ଭଲରେ ରଖିଥିଲେ ବୋଲି କହିଛନ୍ତି ହ୍ୟୁମାନ ସାଗର । ଯୌତୁକ ଦାବି ଅଭିଯୋଗକୁ ମଧ୍ୟ ସେ ବାଏଁ ବାଏଁ ଉଡାଇ ଦେଇଛନ୍ତି ।
ସବୁ ଅଭିଯୋଗକୁ ମିଛ ବୋଲି ହ୍ୟୁମାନ କହୁଥିବା ବେଳେ ପରକିୟା ପ୍ରୀତି ଓ ନିର୍ଯାତନାର ଅଭିଯୋଗ ଦୋହରାଇଛନ୍ତି ଶ୍ରେୟାଙ୍କ ଓକିଲ । ସେ କହିଛନ୍ତି, ସ୍ୱାମୀଙ୍କ ବିରୋଧରେ କେହି ମିଛରେ ଅଭିଯୋଗ ଆଣନ୍ତି ନାହିଁ । ପରକିୟା ପ୍ରୀତି ସମ୍ପର୍କରେ ହ୍ୟୁମାନଙ୍କ ପରିବାର ଲୋକ ଜାଣିଛନ୍ତି ବୋଲି କହିଛନ୍ତି ଶ୍ରେୟାଙ୍କ ଓକିଲ ।
ହ୍ୟୁମାନଙ୍କ ବିରୋଧରେ ଅଭିଯୋଗ
ଯୌତୁକ ଦାବି, ଶାରୀରିକ ଓ ମାନସିକ ନିର୍ଯାତନା
ମଦ ପିଇ ମାଡ଼ ମାରିବା
ଧର୍ମାନ୍ତରଣ ପାଇଁ ଚାପ ପକାଇବା
ପରକିୟା ପ୍ରୀତି ଭଳି ସଂଗୀନ ଅଭିଯୋଗ ରହିଛି ହ୍ୟୁମାନ ସାଗରଙ୍କ ବିରୋଧରେ ।
ଏପଟେ ହ୍ୟୁମାନଙ୍କ ମାଆ ଆପୋଷ ବୁଝାମଣା ପାଇଁ ମତ ଦେଇଛନ୍ତି । ସେ କହିଛନ୍ତି, ନାତୁଣୀ ଓ ବୋହୂଙ୍କୁ ସେ ମିସ୍ କରୁଛନ୍ତି । ପୁଣିଥରେ ତାଙ୍କ ପୁଅ-ବୋହୂ ଏକାଠି ରୁହନ୍ତୁ ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ ।
ଗତ ୬ ମାସ ହେଲା ହ୍ୟୁମାନଙ୍କ ସହ ରହୁନାହାନ୍ତି ପତ୍ନୀ ଶ୍ରେୟା । ଗୁରୁବାର ଦିନ ଶ୍ରେୟାଙ୍କ ଅଭିଯୋଗ ଆଧାରରେ ହ୍ୟୁମାନ ସାଗର ଥାନାରେ ହାଜର ହୋଇଥିଲେ । ଉଭୟ ପତିପତ୍ନୀଙ୍କୁ ଥାନାକୁ ଡକାଇ କାଉଁନସେଲିଂ କରିଥିଲା ପୁଲିସ । ବିବାଦର ସମାଧାନ ପାଇଁ ସେମାନଙ୍କୁ ଦୁଇ ଦିନ ସମୟ ଦିଆଯାଇଛି । ଦିନକ ପରେ ଜଣାପଡିବ, ମାମଲା ଆଗକୁ ବଢୁଛି, ନା ଉଭୟ ସ୍ୱାମୀ-ସ୍ତ୍ରୀ ଆପୋଷ ବୁଝାମଣା କରି ପୁଣିଥରେ ଏକାଠି ହେଉଛନ୍ତି ।
Follow Us