ରଜ ପାଇଁ ବଜାରରେ ଲୋକଙ୍କ ପ୍ରବଳ ଗହଳି । ମାନିଲେନି କରୋନା କଟକଣା, ସ୍ଥିତି ଅସମ୍ଭାଳ ପରେ ଆକ୍ସନ ମୋଡକୁ ଆସିଲା ପ୍ରଶାସନ । ଭୁବନେଶ୍ୱରର ମାର୍କେଟ ବିଲ୍ଡିଂକୁ ସିଲ୍ କଲା ବିଏମସି ।

307

କନକ ବ୍ୟୁରୋ: ଦିନକ ପରେ ଓଡିଶାର ଗଣପର୍ବ ରଜ । ତେଣୁ ବହୁ ସଂଖ୍ୟାରେ ଲୋକ ଆଜି ବଜାରକୁ ବାହାରି ଆସିଥିଲେ କିଣାକିଣି କରିବା ପାଇଁ । ଆଜି ସରକାର କର୍ଫ୍ୟୁ ବି ରାତି ୧୦ଟା ପର୍ଯ୍ୟନ୍ତ କୋହଳ କରିବା ପାଇଁ ଘୋଷଣା କରିଥିଲେ । କିନ୍ତୁ ରାଜଧାନୀ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂର ଦୃଶ୍ୟ ଯାହାକୁ ନେଇ ସଂକ୍ରମଣ ବ୍ୟାପିବା ଆଶଙ୍କାକୁ ଏଡ଼ାଇ ନଦିଆଯାଇପାରେ । ହଜାର ହଜାର ଲୋକ କିଣାକିଣି କରିବା ପାଇଁ ପହଁଚି ଯାଇଥିଲେ ମାର୍କେଟ ବିଲ୍ଡିଂରେ । ଏମିତି ଲାଗୁଥିଲା ଯେ ସମସ୍ତେ ସାମାଜିକ ଦୂରତା କଥା ଓ ମହାମାରୀ କରୋନାର ଭୟାବହତା କଥା ଭୁଲି ଯାଇଛନ୍ତି । ପୂରା ମାର୍କେଟ ବିଲ୍ଡିଂ ଖଚାଖଚ ଭିଡ ହୋଇଯାଇଥିଲା ।

ବ୍ୟବସାୟୀ ମାନେ ବି ଉତ୍ସାହିତ ହୋଇ ବେଶ ପୂର୍ବରୁ ଦୋକାନ ବଜାର ଖୋଲି ବ୍ୟବସାୟ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ । କାରଣ ପ୍ରାୟ ତିନି ମାସ ହେବ ଲକଡାଉନ ଅଛି, ଦୋକାନ ବଜାର ସବୁ ବନ୍ଦ । ଗୋଟିଏ ଦିନ ପରେ ରଜ ଥିବାରୁ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ଭିତରେ ବେଶ୍ ଉତ୍ସାହ ଥିଲା । କିନ୍ତୁ, ମହାମାରୀର ସଂକ୍ରମଣର ସମ୍ଭାବନା ଏଭଳି ପରିସ୍ଥିତିରେ କେତେ ବଢ଼ିଯାଏ ଏହାକୁ ସମସ୍ତେ ଭୁଲି ଯାଇଥିଲେ । ତେବେ ଏଭଳି ଭିଡ଼ ଦୃଶ୍ୟ ଟେଲିଭିଜନ ପରଦାରେ ପ୍ରସାରଣ ହେବା ପରେ ପ୍ରଶାସନ ଆକ୍ସନ ମୋଡକୁ ଆସି ଯାଇଥିଲା ।

ସେପଟେ ବିଏମସି ଡେପୁଟି କମିଶନରଙ୍କ ନେତୃତ୍ୱରେ ଏକ ସ୍କାର୍ଡ ମାର୍କେଟ ବିଲ୍ଡିଂରେ ପହଁଚି ସିଲ୍ କରିବା ଆରମ୍ଭ କରିଦେଇଥିଲେ । କିନ୍ତୁ ,ପ୍ରଶାସନର ଏଭଳି ପଦକ୍ଷେପକୁ ସହଜରେ ଗ୍ରହଣ କରି ପାରିନଥିଲେ ବ୍ୟବସାୟୀ । ପ୍ରଥମ ଥର ପାଇଁ ସେମାନଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ମାର୍କେଟ ବିଲ୍ଡିଂକୁ ସିଲ୍ କରିବା ପରେ କ୍ୟାମେରା ଆଗରେ ଜଣେ ବ୍ୟବସାୟୀ କହୁଥିଲେ ସରକାର ତାଙ୍କୁ ଟିକେ ବିଷ ଦେଇଦିଅନ୍ତୁ, ସେମାନେ ଏଭଳି କ୍ଷତି ସହି ପାରିବେ ନାହିଁ ।