ସାତକୋଶିଆ ଇକୋ-ରିଟ୍ରିଟରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ । କଟେଜରେ ଥିବା ପର୍ଯ୍ୟଟକ କହିଲେ, ଭୋର ୫ ଟାରେ ବିସ୍ଫୋରଣ ଶବ୍ଦ ହୋଇ ଲାଗିଗଲା ନିଆଁ ।

77
କନକ ବ୍ୟୁରୋ: ସାତକୋସିଆର ଇକୋ ରି-ଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ । ଆଉ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ପରିବହନ କମିଶନର ଆଇପିଏସ ସଂଜୀବ ପଣ୍ଡା ଓ ତାଙ୍କ ପତ୍ନୀ ତଥା ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ଇକୋ ରି-ଟ୍ରିଟର ୩ଟି କଟେଜ ସଂପୂର୍ଣ୍ଣ ଜଳି ଯାଇଛି । ସଂଜୀବ ଓ ତାଙ୍କ ପତ୍ନୀ କହିଛନ୍ତି, ହଠାତ୍ ନିଆଁ ଲାଗି ଯାଇଥିଲା, ତୁରନ୍ତ ସେମାନେ ବାହାରି ଆସି ଅନ୍ୟମାନଙ୍କୁ ସତର୍କ କରିଥିଲେ । ସୌଭାଗ୍ୟର କଥା ହେଉଛି, ଏଥିରେ କେହି ମୃତାହତ ହୋଇନାହାନ୍ତି ।
ଶୋଇବାକୁ ଯିବା ପୂର୍ବରୁ ସବୁ କିଛି ସ୍ୱାଭାବିକ୍ ଥିବ, ଆଉ ଆଖି ଖୋଲିଲା ବେଳକୁ ଯଦି ଚାରି ଆଡେ ଖାଲି ନିଆଁ ଓ ନିଆଁ ଜଳୁଥିବ, ତେବେ ଭାବନ୍ତୁ ସେତେବେଳେ କେଉଁ ଭଳି ମାନସିକ ସ୍ଥିତିରେ ଥିବେ ପର୍ଯ୍ୟଟକ । ହୁ ହୁ ହୋଇ ଜଳୁଥିଲା ନିଆଁ । କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ସେ କଥା ଭାବିବାକୁ କାହା ପାଖରେ ସମୟ ଥିଲା । ପ୍ରାଥମିକତା ଥିଲା ଜୀବନ ରକ୍ଷା ।
ଅବସର ସମୟ କାଟିବା ପାଇଁ ଯାଇଥିବା ପର୍ଯ୍ୟଟକ, ଅଚିନ୍ତାରେ ଶୋଇ ରହିଥିଲେ । ଆଉ ଠିକ୍ ସେତେବେଳେ ଘଟିଥିଲା, ଅଘଟଣ । ଚାହୁଁ ଚାହୁଁ ସାତକୋସିଆ ଇକୋ ରିଟ୍ରିଟରେ ୩ଟି ଟେଂଣ୍ଡ ଜଳିଯାଇଥିଲା । ସୌଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିଲେ । ହେଲେ, ଅଗ୍ନିକାଣ୍ଡ ସମସ୍ତଙ୍କୁ ଭୟଭିତ କରିଦେଥିଲା ।
ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଯାଇଥିଲେ କଟେଜରେ ଥିବା ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ତାଙ୍କ ପତ୍ନୀ ତଥା ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ସେମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପିଗଲା । ଅନ୍ୟମାନଙ୍କୁ ବାହାରକୁ ଡାକି ଜାଗା ଖାଲି କରିଥିଲେ । ନିଆଁରୁ ଅଳ୍ପକେ ବର୍ତି ଯାଇଥିଲେ ଅଫିସର ଦମ୍ପତି । କିନ୍ତୁ କଟେଜରେ ନିଆଁ ଲାଗିବା ଯୋଗୁଁ ସନ୍ତୋଷ ବାଲାଙ୍କ ମୋବାଇଲ, ଏଟିଏମ , ଟଙ୍କା ଓ ମନପର୍ସ ସହ ସମସ୍ତ ଲଗେଜ ଜଳି ଯାଇଥିଲା
ସାତକୋଶିଆ ଇକୋ ରିଟ୍ରିଟରେ କେମିତି ଲାଗିଲା ନିଆଁ ତାର କାରଣ ଖୋଜିବାକୁ ତଦନ୍ତ ଆରମ୍ଭ କରିଛି ପର୍ଯ୍ୟଟନ ବିଭାଗ । ଅଗ୍ନିକାଣ୍ଡ ଘଟଣା ପରେ ଘଟଣାସ୍ଥଳରେ ପହଂଚିଛନ୍ତି ସ୍ଥାନୀୟ ବିଧାୟକ ଦେବୀ ମିଶ୍ର । ଏହାସହ ନରସିଂହପୁର ତହସିଲଦାରଙ୍କ ସମେତ ଉଚ୍ଚ ପଦସ୍ଥ ଅଧିକାରୀ ପହଂଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସୌଭାଗ୍ୟ ବଶତଃ, ସାତକୋଶିଆ ଇକୋ ରିଟ୍ରିଟରେ କେହି ଆହତ ହୋଇନାହାଁନ୍ତି । କିନ୍ତୁ ଏଠି ଘଟିଥିବା ଘଟଣା ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।