କନକ ବ୍ୟୁରୋ : ମହାଶିବରାତ୍ରୀ ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ପ୍ରଜ୍ୱଳିତ ହୋଇଛି ବିଶାଳକାୟ ଜଗତ ମଙ୍ଗଳ ଜାଗର ଦୀପ । ପୁରୀ ଶ୍ରୀଲୋକନାଥ ପୀଠ ପାର୍ବତୀ ସାଗର ନିକଟରେ ଏହି ଦୀପକୁ ପ୍ରଜ୍ୱଳନ କରାଯାଇଛି । ଶ୍ରୀ ଲୋକନାଥଙ୍କ ଦୀପ ଆସି ଏହି ବୃହତକାୟ ଦୀପକୁ ପ୍ରଜ୍ୱଳିତ କରାଯାଇଥିଲା । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ଉପଜିଲ୍ଲାପାଳ ଭବତରଣ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Advertisment

୮ ଫୁଟ ଦୈର୍ଘ୍ୟ, ୬ ଫୁଟ ଓସାର ଓ ୨ ଫୁଟ ଗଭୀର ବିଶିଷ୍ଟ ଏହି ଦୀପ ଦେଶର ସର୍ବବୃହତ ଦୀପ ବୋଲି କୁହାଯାଉଛି । ଶନିବାର ପର୍ଯ୍ୟନ୍ତ ଏହି ଦୀପ ଜଳିବ । ତିନି ଦିନ ଧରି ଏହି ଦୀପରେ କୁଇଣ୍ଟାଲ କୁଇଣ୍ଟାଲ ଗୁଆ ଘିଅ ଜଳାଯିବ । ଏଥିରେ ପ୍ରାୟ ୧୨ ଇଞ୍ଚ ଗୋଲେଇ ଆକାରର ଶହେ ଫୁଟ ବଳିତା ଜଳିବ । ଶିବରାତ୍ରୀରେ ଶ୍ରୀଲୋକନାଥଙ୍କ ମହାଦୀପ ଉଠିବା ପରେ ଏହି ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ । ଜଗତ କଲ୍ୟାଣ ପାଇଁ ଏହି ବୃହତ ଜାଗର ଦୀପ ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ୱଳିତ କରାଯାଉଛି ।