ରାଜନୀତିରେ ‘ଫସଲ ବୀମା’: ଶୋଭାଯାତ୍ରା କଲେ, ପ୍ରାର୍ଥୀପତ୍ର ଦାଖଲ କଲେନି ପ୍ରଦୀପ ପୁରୋହିତ; ବିଜେଡି କହିଲା ଏପ୍ରିଲ ଫୁଲ କରୁଛି ବିଜେପି

120

କନକ ବ୍ୟୁରୋ : ଉପନିର୍ବାଚନ ବେଳେ ରୋଚକ ହେଉଛି ପଦ୍ମପୁର ରାଜନୀତି । ନାମାଙ୍କନ ଦାଖଲ କରିବା ପାଇଁ ବିରାଟ ଶୋଭାଯାତ୍ରା କରି ଆସଥିିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ହେଲେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିନାହାନ୍ତି । ଆଉ ଚାଷୀଙ୍କ ସ୍ୱରରେ ସ୍ୱର ମିଳାଇ ପ୍ରଦୀପ ପୁରୋହିତ କହିଛନ୍ତି, ଚାଷୀ ସମସ୍ୟାର ସମାଧାନ ନହେଲେ ନାମାଙ୍କନ ଦାଖଲ କରିବେ ନାହିଁ । ପଦ୍ମପୁର ଜନତାଙ୍କ ସମସ୍ତ ଦାବି ସହ ଦଳ ଥିବା କହିବା ସହ ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କେନ୍ଦ୍ରମନ୍ତ୍ରୀ । ଚାଷୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସହ ଏକାଧିକ ବରିଷ୍ଠ ନେତା ଆଲୋଚନା କରିଥିଲେ ।

ପଦ୍ମପୁର ଉପଖଣ୍ଡରେ ପାଖାପାଖି ୮୦ ହଜାର ଚାଷୀ ରହିଛନ୍ତି । ଉପନିର୍ବାଚନ ବିଜୟରେ ଏମାନଙ୍କ ଭୋଟ୍ ନିର୍ଣ୍ଣାୟକ ହୋଇପାରେ । ତେଣୁ ସବୁଦଳର ଫୋକସ ଏବେ ଚାଷୀଙ୍କ ସମସ୍ୟା ଉପରେ କେନ୍ଦ୍ରୀଭୂତ ହୋଇଛି । ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ଶାସକ ବିଜେଡି ଦାୟୀ କରୁଥିବାବେଳେ, ବୀମା ରାଶି ପ୍ରଦାନରେ ରାଜ୍ୟର ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀ କରୁଛି ବିଜେପି । ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବୀମା ପାଇଁ ଚାଷୀମାନେ ଆନ୍ଦୋଳନ କରିବା ଯଥାର୍ଥ । କିନ୍ତୁ, ଚାଷୀଙ୍କୁ ଭୁଆଁ ବୁଲାଇ ଏପ୍ରିଲ ଫୁଲ କରୁଛି ବିଜେପି । ଫସଲ ବୀମା ପ୍ରକ୍ରିୟା ଲୁଚାଛପା ନୁହଁ । କିଏ କେଉଁ ଦାୟିତ୍ୱ ତୁଲାଇବ ଓ ଦାୟିତ୍ୱ ନେବ, ତା’ର ନୀତିନିୟମ ରହିଛି । କିନ୍ତୁ, କେନ୍ଦ୍ର ସରକାର କେବଳ ନିର୍ବାଚନ ଲଢ଼ିବା ନିଶାରେ ଏସବୁ ନୀତିନିୟମକୁ ଅଣଦେଖା କରି କେବଳ ରାଜ୍ୟ ସରକାର ଉପରେ ଦୋଷ ଲଦୁଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।