ନୟାଗଡରେ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ: ଦେଢ ବର୍ଷ ଆଗରୁ ନିର୍ମାଣ ଅବଧି ସରିଥିଲେ ବି ସରୁନି କାମ

40

କନକ ବ୍ୟୁରୋ: ରାସ୍ତା ହେଲେ ଗମନାଗମନ ବିବ୍ୟସ୍ଥା ସୁଧୁରି ଯିବ । ଏଥିପାଇଁ କୋଟି କୋଟି ଟଙ୍କାରେ ରାସ୍ତା ନିର୍ମାଇ କରାଯାଉଛି । ନୟାଗଡ ୫୭ ନମ୍ବର ଜାତୀୟ ରାଜପଥରୁ ଆରଡି ରାସ୍ତାକୁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ହେଉଛି । ୪ ବର୍ଷ ତଳୁ ଆରମ୍ଭ ହୋଇଥିବା କାର୍ଯ୍ୟ ଆଜି ଯାଏଁ ସରିନାହିଁ ।

ଲୋକଙ୍କ ସୁବିଧା ପାଇଁ ତିଆରି ହେଉଥିବା ରାସ୍ତା ଏବେ ଲୋକଙ୍କ ପାଇଁ କାଳ ହୋଇଛି । ନିର୍ମାଣ କାମରେ ଅହେତୁକ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବଢୁଛି । ତଥାପି ରାସ୍ତା କାମ କରୁଥିବା ଠିକାସଂସ୍ଥା କିଛି ବୁଝୁନାହିଁ । ନୟାଗଡ ଜିଲ୍ଲା ସୋରଡା ପଂଚାୟତରୁ ଆସିଛି ଏଭଳି ଅଭିଯୋଗ । ୫୭ ନମ୍ବର ଜାତୀୟ ରାଜପଥରୁ ଆରଡି ରାସ୍ତାକୁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୩ କୋଟି ୭୫ ଲକ୍ଷ ଟଙ୍କାରେ ରାସ୍ତା କାମ ହେଉଛି । ୪ ବର୍ଷ ହେଲାଣି କାମ ଚାଲିଛି ଯେ ଚାଲିଛି, ସରିବାର ନାଁ ଧରୁନି । ନିର୍ଦ୍ଧାରିତ ସମୟର ଦେଢ ବର୍ଷ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା କାମ ସରୁନି କି ଠିକାଦାର କାହା କଥା ଶୁଣୁନଥିବା ଅଭିଯୋଗ ହୋଇଛି ।

ସେପଟେ ରାସ୍ତାରେ ଥିବା ବେଲପା ବ୍ରିଜ କାମ ଯୋଗୁଁ ଲୋକେ ଦୁର୍ଦଶା ଭୋଗୁଛନ୍ତି । ବିପଦଜ୍ଜନକ ଭାବେ ଅସ୍ଥାୟୀ ରାସ୍ତାରେ ଯାତାୟତ କରିବାରୁ ଏକାଧିକ ଦୁର୍ଘଟଣା ଘଟୁଛି । ଏଇ ନିକଟରେ ଦୁର୍ଘଟଣାରେ ଜଣେ ଛାତ୍ର ତଳକୁ ପଡି ପ୍ରାଣ ହରାଇଛନ୍ତି । ତଥାପି ରାସ୍ତା କାମ ସାରିବା ନେଇ ଠିକାସଂସ୍ଥା କୌଣସି ପଦକ୍ଷେପ ନେଉନାହିଁ । ପୋଲ ନିର୍ମାଣ ଶୀଘ୍ର ସରୁ ବୋଲି ନେତାଙ୍କ ଠାରୁ ଜନତା ସମସ୍ତେ ଚାହୁଁଛନ୍ତି କିନ୍ତୁ ଅମାପ ଶକ୍ତିରେ ବଳିୟାନ ଠିକାସଂସ୍ଥା କାହା କଥା ଶୁଣିନଥିବା ଅଭିଯୋଗ ହୋଇଛି । ଓଲଟି କାମ ସାରିବା ପାଇଁ ସଂପୃକ୍ତ ଠିକା ସଂସ୍ଥାକୁ ଅଧିକ ସମୟ ଦିଆଯାଇଥିବା ବେଳେ ଚଳିତ କାର୍ଯ୍ୟ ଋତୁରେ କାମ ଶେଷ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।