କନକ ବ୍ୟୁରୋ : ଶୀତରାତିରେ ଶିଣିର ସରସ ମେଳାର ମଜା ନେଉଛନ୍ତି ରାଜଧାନୀବାସୀ । ପାଖାପାଖି ୪ ଶହ ଷ୍ଟଲ ଲାଗିଛି । ଏଠାରେ ବେଶ୍ କିଣାବିକା ଚାଲିଛି । ଏହାସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି । ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସାମଗ୍ରୀ ଗୋଟିଏ ଜାଗାରେ ମିଳୁଛି । ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଶିଶିର ସରସ ମେଳାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି ।
ରାଜଧାନୀର ବିଭିନ୍ନ ଅଂଚଳରୁ ଲୋକଙ୍କର ଏଠାରେ ଗହଳି ଜମୁଛି । କନ୍ଧମାଳ ହଳଦୀ, ଅଦା ଆଉ ଝୁଣାର ଅଧିକ ଚାହିଦା ରହିଛି । ସେହିପରି ନବରଙ୍ଗପୁର ଓ କୋରାପୁଟ ଅଂଚଳର ଅଳଙ୍କାର, ଛତିଶଗଡ଼ର ଟସର, ୟୁପିର ଲୁହା ଜିନିଷ ପାଇଁ ମଧ୍ୟ ଦୋକାନରେ ଭିଡ଼ ଲାଗୁଛି । ରାଜସ୍ଥାନ ଓ ଗୁଜରାଟରୁ ମଧ୍ୟ ବ୍ୟବସାୟୀ ଏଠାରେ ଷ୍ଟଲ ଲଗାଇଛନ୍ତି । ଉଚିତ ମୂଲ୍ୟରେ ଜିନିଷ ହାତ ପାହାନ୍ତରେ ମିଳୁଥିବାରୁ ଗ୍ରାହକ ବି ଖୁସି ଅଛନ୍ତି ।