ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଜନସମୁଦ୍ର । ହେଲିକପ୍ଟର ପହଞ୍ଚିବା ମାତ୍ରେ ବ୍ୟାରିକେଡ ଭାଙ୍ଗି ମାଡିଆସିଲେ ଲୋକେ ।

316

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଓଡ଼ିଶା ଗସ୍ତରେ ଆସିଥିଲେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଚଣ୍ଡିଖୋଲ ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ମୋଦୀଙ୍କ ଟିକିଏ ଝଲକ ପାଇବାକୁ ଚଣ୍ଡିଖୋଲରେ ହୋଇଥିଲା ଜନସମୁଦ୍ର । ୭ରୁ ୭୦, ଆବାଳ ବୃଦ୍ଧବନିତା ସମସ୍ତେ ବେଣାପୁର ପଡ଼ିଆକୁ ଛୁଟି ଆସିଥିଲେ । ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଆଉ ଯେତେବେଳେ ମୋଦୀଙ୍କ ହେଲିକପ୍ଟର ପହଞ୍ଚିିଥିଲା, ସେତେବେଳେ ଗୁଞ୍ଜରିତ ହୋଇଥିଲା ଜନତାଙ୍କ ସ୍ୱର ।

ମୋଦୀ ମୋଦୀ ନାରାରେ କମ୍ପିଥିଲା ପୂରା ପରିବେଶ । ସ୍ଥିତି ଏପରି ହୋଇଥିଲା ଯେ, ବ୍ୟାରିକେଡ୍ ଭାଙ୍ଗି ହେଲିପ୍ୟାଡ୍ ଆଡକୁ ଦୌଡ଼ିଥିଲେ ଲୋକେ । ମୋଦୀଙ୍କ ପାଖକୁ ଯିବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । କିଏ ବ୍ୟାରିକେଡ୍ ଡେଇଁ ସଭାସ୍ଥଳକୁ ଯାଉଥିଲା ତ, ଆଉ କିଏ ବ୍ୟାରିକେଡ୍ ଭିତରେ ଥିବା ଫାଙ୍କ ଦେଇ ପଶୁଥିଲେ । ମାଳ ମାଳ ପୋଲିସ ଜଗିଥିଲେ ବି ଲୋକଙ୍କୁ ଅଟକାଇବା ଅସମ୍ଭବ ହୋଇନଥିଲା । ପରିସ୍ଥିତି ଅଣାୟତ ହେବାରୁ ପୋଲିସ କିଛି ସମୟ ଲୋକଙ୍କୁ ଗୋଡାଇଥିବାର ମଧ୍ୟ ଦେଖିବାକୁ ମିଳିଛି ।