ଲକଡାଉନ୍ ପୂର୍ବରୁ ବଜାରରେ ଜମିଲା ପ୍ରବଳ ଭିଡ । ମଦ ଦୋକାନ ଆଗରେ ଲାଗିଲା ଲମ୍ବା ଲାଇନ୍, ବସ୍ତା ବସ୍ତା ଆଳୁ ଓ ପନିପରିବା ବୋହି ନେଲେ ଲୋକେ ।

293

କନକ ବ୍ୟୁରୋ : ରାତି ପାହିଲେ ୧୪ ଦିନିଆ ସଟଡାଉନ । ଆଉ ଏହା ପୂର୍ବରୁ ଦୋକାନ ବଜାରଠାରୁ ଆରମ୍ଭ କରି ମଦଦୋକାନ ଓ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଚିତ୍ର ଦେଖିବାକୁ ମିଳିଛି । ସମ୍ବଲପୁରର ହୃଦୟ କୁହାଯାଉଥିବା ଗୋଲବଜାରର ଚିତ୍ର ଦେଖିଲେ ମନରେ ପ୍ରଶ୍ନ ଉଠିବ ସତରେ କରୋନା ବୋଲି କିଛି ନାହିଁ । ସେହିଭଳି ମାଲକାନଗିରିରି ମଦଦୋକାନରୁ ଲୋକେ ବସ୍ତା ବସ୍ତା ମଦ ବୋହି ନେଉଛନ୍ତି । ଅସ୍ତରଙ୍ଗରେ ବି ବଜାରରେ ଭିଡ ଦେଖିବାକୁ ମିଳିଛି ।

ସମ୍ବଲପୁର ଗୋଲବଜାରର ଦୃଶ୍ୟ ଦେଖିଲେ ଯେ କେହି ଭାବିବ, କରୋନା ବୋଲି ସେମିତି କିଛି ନାହିଁ । କାରଣ ବଜାରରେ ଲୋକେ ନିଦ୍ୱର୍ନ୍ଦ୍ୱରେ ବୁଲୁଛନ୍ତି । ଅବଶ୍ୟ ଲକଡାଉନ ଥିବାରୁ ସଉଦା କିଣିବା ପାଇଁ ଭିଡ ଜମାଇଛନ୍ତି । ଆଶ୍ଚର୍ଯ୍ୟ ଲାଗେ ଲୋକେ ଏତେ ବେଫିକର କେମିତି ହେଉଛନ୍ତି । ସକାଳ ୬ଟାରୁ ୧୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ତେଣୁ ଭିଡ କରିବାର ଆବଶ୍ୟକତା ନାହିଁ । ପେଟ୍ରୋଲ ପମ୍ପରେ ବି ସମାନ ଦୃଶ୍ୟ । ପେଟ୍ରୋଲ ପମ୍ପ ବନ୍ଦ ହେବାର ନାହିଁ, କିନ୍ତୁ ଲକଡାଉନ ଭୟରେ ଲୋକେ ଗାଡିରେ ପେଟ୍ରୋଲ ପକାଇନେଉଛନ୍ତି ।

ସ୍ଥାନ -ମାଲକାନଗିରି, ମଙ୍ଗଳବାରର ଦୃଶ୍ୟ । ଲକଡାଉନ ପୂର୍ବରୁ ଅନେକ ଧାଡିରେ ଛିଡା ହୋଇଛନ୍ତି ମଦ କିଣିବା ପାଇଁ । ୧୯ ତାରିଖ ଯାଏଁ ଲକଡାଉନ ଥିବାରୁ ବସ୍ତା ବସ୍ତା, ପେଟି ପେଟି ମଦ ବୋହି ନେଉଛନ୍ତି । ଗୋଟିଏ ପଟେ ଲୋକଙ୍କୁ ବଜାରରେ ଗହଳି ନ କରିବା ପାଇଁ ପ୍ରଚାର କରୁଛି ପ୍ରଶାସନ, ଅନ୍ୟ ପଟେ ବଜାରରେ କିନ୍ତୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଅସ୍ତରଙ୍ଗ ବଜାରରେ ପ୍ରଶାସନର ତାଗିଦ ସତ୍ୱେ ଲୋକ ବସ୍ତା ବସ୍ତା ଆଳୁ ଓ ପନିପରିବା ବୋହି ନେଇଛନ୍ତି । କେହି ବି ସାମାଜିକ ଦୂରତା ମାନିନାହାନ୍ତି ।