କାକଟପୁରରେ ମାଆ ମଙ୍ଗଳାଙ୍କ ନେତ୍ର ଉତ୍ସବ । ଚୈତ୍ର ପ୍ରଥମ ମଙ୍ଗଳବାରରେ ମାଆଙ୍କ ମନ୍ଦିରରୁ ପୁରୁଣା ନେତ କାଢି ଲଗା ହେଲା ନୂଆ ନେତ, ମନ୍ଦିର ପରିସରରେ ମହିଳାଙ୍କ ପନ୍ଥେଇ ପୂଜା ।

355

କନକ ବ୍ୟୁରୋ : ଆଜି ଚୈତ୍ର ପ୍ରଥମ ମଙ୍ଗଳବାର । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ଜନ୍ମ ମହୋତ୍ସବ ପାଳିତ ହୋଇଛି । ଯାହାକୁ ପ୍ରସିଦ୍ଧ ନେତ୍ର ଉତ୍ସବ ବୋଲି କୁହାଯାଏ । ଆଜି ପ୍ରଥମ ପାଳି ଯାତ୍ରାରେ ମାଆଙ୍କ ମନ୍ଦର ଚୂଡାରେ ବନ୍ଧା ହୋଇଥିବା ପୁରୁଣା ନେତକୁ ବଦଳାଯାଇ ନୂଆ ନେତ ବନ୍ଧା ଯିବାର ପରମ୍ପରା ରହିଛି । ମାଆଙ୍କ ଜନ୍ମୋତ୍ସବରେ ମାଆ ଭକ୍ତଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥାନ୍ତି ।

ଆଜି ହୋଲି ସାଙ୍ଗକୁ ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ମାଆ ମଙ୍ଗଳାଙ୍କ ଜନ୍ମ ଉତ୍ସବ । ଏଥିପାଇଁ କାକଟପୁରର ମଙ୍ଗଳା ମନ୍ଦିରରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା । ଆଜି ମାଆଙ୍କ ଝାମୁଯାତ୍ରାର ପ୍ରଥମ ପର୍ବ । ୫ଟି ପାଳିରେ ମାଆଙ୍କର ଏହି ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍୍ରଥମ ପାଳିରେ ମାଆଙ୍କ ନେତ୍ରୋତ୍ସବ ପାଳିତ ହୋଇଛି । ଏହି ଅବସରରେ ମାଆଙ୍କର ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି ।

ମାଆ ମଙ୍ଗଳାଙ୍କ ମନ୍ଦିର ଚୂଡାରୁ ପୁରୁଣା ନେତ କଢାଯାଇ ନୂଆ ନେତ ଲଗାଯାଇଛି । ମାଆଙ୍କ ନେତ ଲାଗିବା ସମୟରେ ମନ୍ଦିର ପରିସର ଏହ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ଘଂଟଘଂଟା ସାଙ୍ଗକୁ ଯାଦବଙ୍କ ଲହୁଡି ଖେଳ ଓ ବିଭିନ୍ନ ରଙ୍ଗର ଅବିରରେ ରଙ୍ଗିନ ହୋଇଥିଲା ମନ୍ଦିର ପରିସର ।

ଚୈତ୍ର ପ୍ରଥମ ମଙ୍ଗଳବାରରେ ଗାଁ ଗଣ୍ଡାରେ ମହିଳାମାନେ ପନ୍ଥେଇ ପୂଜା କରିଥାନ୍ତି । ମାନସିକ ଧାରୀ ମହିଳାମାନେ ମାଆ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ମନ୍ଦିର ପ୍ରାଙ୍ଗଣରେ ପଣା, ଧୂପଦୀପ ଓ ନୈବେଦ୍ୟ ଦେଇ ଏହି ପୂଜା କରିଛନ୍ତି । ଏଥିପାଇଁ ଆଜି ମଙ୍ଗଳା ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ମାଆଙ୍କ ଦର୍ଶନ କରିଛନ୍ତି ।

ନେତ୍ର ଉତ୍ସବରେ ମାଆ ମଙ୍ଗଳାଙ୍କ ରାଜରାଜେଶ୍ୱର ବେଶ କରାଯାଏ । ମାଆଙ୍କ ଏହି ବେଶ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁ ଛୁଟେ କାକଟପୁରକୁ । ଭକ୍ତଙ୍କ ଭିଡକୁ ନଜରରେ ରଖି ମନ୍ଦିର ଭିତରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।