ପ୍ରବଳ ବର୍ଷାରେ ଛତା ଧରି ଟିକାକେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ୍

ଟିକା ନେବାକୁ ସୋର ମାଣିପୁର ଅଂଚଳରେ ଥିବା ଟିକାକରଣ କେନ୍ଦ୍ରରେ ଗହଳି; ସେପଟେ ବର୍ଷା ଯୋଗୁଁ ପିପିଲି ଏନଏସି ଓ ଜଗତସିଂହପୁରରେ ଘରେ ପଶିଲା ପାଣି

95

କନକ ବ୍ୟୁରୋ : ପ୍ରବଳ ବର୍ଷା ଭିତରେ ଟିକା ନେବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ । ଛତା ଧରି ଲୋକେ ଟିକାକରଣ କେନ୍ଦ୍ରରେ ଟିକା ନେବାକୁ ଅପେକ୍ଷା କରିଛନ୍ତି । ସୋର ମାଣିପୁର ପଂଚାୟତରେ ଏକ ସ୍କୁଲରେ ଚାଲିଛି ଟିକାକରଣ । ଯେଉଁଠି ଲୋକମାନେ ଏପରି ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି । ଟିକା ନେବା ପାଇଁ ଲୋକମାନେ ରାତି ଅଧରୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଲୋକଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି ।

ସେପଟେ, ଲଗାଣ ବର୍ଷାରେ ବେହାଲ ହୋଇଛି ପିପିଲି ଏନଏସି । ଦୁଇ ଦିନ ହେବ ସ୍ଥାନୀୟ ଲୋକେ ଜଳବନ୍ଦୀ ଭିତରେ ରହିଛନ୍ତି । ଘର ଭିତରେ ହାଣ୍ଡି, ବାଲଟି ଏବଂ ଆସବା ପତ୍ର ଭାସୁଛି । ପାଣି ଜମି ରହିଥିବାରୁ ଲୋକେ ରୋଷେଇ ବି କରିପାରୁ ନାହାନ୍ତି । ତେଣୁ ଦୁଇ ଦିନ ହେବ ଏଠିକାର ଲୋକେ ଶୁଖିଲା ଖାଦ୍ୟ ଖାଇ ରହୁଛନ୍ତି । ପିପିଲି ଏନଏସିରେ ଡ୍ରେନେଜ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଲଗାଣ ବର୍ଷା ପାଇଁ ସ୍ଥିତି ବେହାଲ ହୋଇଯାଇଛି ।

ସେହିପରି ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ନିଆଳି ବ୍ଲକ ବିଳାସୁଣି ପଂଚାୟତର ମହାରଣା ସାହି, ବାରିକ ସାହି, ବେହେରା ସାହିର ୭୦ଟି ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛି । ରାସ୍ତା ଉପରେ ଜମି ରହିଛି ୪ ଫୁଟ ଉଚ୍ଚର ପାଣି । ଫଳରେ ଲୋକେ ଘରୁ ବାହାରିପାରୁନାହାଁନ୍ତି । ଗାଁ ଭିତରେ ପାଣି ଜମି ରହିଥିବା ବେଳେ ପାଣି ନିସ୍କାସନର ସ୍ଥାୟୀ ବ୍ୟବସ୍ଥା ହୋଇପାରିନାହିଁ । ଏପରିକି କିଛି ଲୋକଙ୍କ ଘର କାନ୍ଥ ଭୁଷୁଡ଼ିପଡ଼ିବାରୁ ଲୋକେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ସେହିପରି ଚାଷ ଜିମରେ ପାଣି ବୁଡ଼ି ରହିବାରୁ କ୍ଷତିଗ୍ରସ୍ତ ହୋଇଛି ଏକର ଏକର ଚାଷ ଜମି ।