କଟକ ଜିଲ୍ଲାର ଦୁଇଟି ଗାଁକୁ ସିଲ କରିଛି ପ୍ରଶାସନ: ନିଶ୍ଚିତକୋଇଲି ତହସିଲର ଜୟୀରାମପୁର ଗାଁ ଓ ସାଲେପୁର ତହସିଲର କାନପୁର ଗାଁକୁ ଅବରୋଧ ଅଂଚଳ ଘୋଷଣା

ସେପଟେ ଭୁବନେଶ୍ୱର ସୁନ୍ଦରପଦା ଅଂଚଳ ସିଲ୍ କଲା ବିଏମସି; ବ୍ରହ୍ମପୁର ନିକଟ ମାଟିଆସାହି ଗାଁକୁ କୋଭିଡ୍ ୧୯ ହଟସ୍ପଟ୍ ଘୋଷଣା କଲା ପ୍ରଶାସନ

889

କନକ ବ୍ୟୁରୋ: କଟକ ଜିଲ୍ଲାର ଦୁଇଟି ଗାଁକୁ ସିଲ୍ କରିଛି ପ୍ରଶାସନ । ନିଶ୍ଚିତକୋଇଲି ତହସିଲର ଜୟୀରାମପୁର ଗାଁ ଓ ସାଲେପୁର ତହସିଲର କାନପୁର ଗାଁକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି । ଏ ନେଇ କଟକ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ଅଂଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରି ଦିଆଯାଇଛି । ସୂଚନା ଅନୁସାରେ ଗତ ମାର୍ଚ୍ଚ ୨୧ ତାରିଖରେ ଦୁଇ ଗାଁକୁ ବୁଲି ଆସିଥିଲେ ଯାଜପୁରର କରୋନା ଆକ୍ରାନ୍ତ । ଏହି ଘଟଣା ଜଣାପଡିବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ ।

ଭୁବନେଶ୍ୱର ସୁନ୍ଦରପଦା ଅଂଚଳ ସିଲ୍ କଲା ବିଏମସି । କପିଳପ୍ରସାଦ ଅଂଚଳରୁ ଜଣେ କୋରନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ ସିଲ୍ କରାଯାଇଛି । ଏହି ଅଂଚଳରୁ କେହି ବାହାରକୁ ଯିବେ ନାହିଁ ଏବଂ କେହି ଏହି ଅଂଚଳ ଭିତରକୁ ପଶିପାରିବେ ନାହିଁ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସୁନ୍ଦରପଦା ମ୍ୟୁନିସିପାଲଟି ହସପିଟାଲ ଛକରୁ କାଳୁଆଶୁଣି ମନ୍ଦିର, ସୁନ୍ଦରପଦା ମ୍ୟୁନିସିପାଲଟି ହସପିଟାଲ ଛକରୁ ସରକନ୍ତରା ନ୍ୟୁ କଲଭର୍ଟ, କାଳୁଆଶୁଣି ମନ୍ଦିରଠାରୁ ଟାଟା ପ୍ରୋଜେକ୍ଟ ଏସଇଟିପି ଏବଂ ଟାଟା ପ୍ରୋଜେକ୍ଟଠାରୁ ସରକନ୍ତରା ନ୍ୟୁ କଲଭର୍ଟ ଯାଏ ଅଂଚଳକୁ ସିଲ କରାଯାଇଛି । ସଂପୃକ୍ତ ଅଂଚଳକୁ କଂଟେନମେଂଟ୍ ଜୋନ୍ ଅର୍ଥାତ୍ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି ।

ଗଂଜାମ ଜିଲ୍ଲା ପାଇଁ ନୂଆ ନିୟମ କରିଛି ଜିଲ୍ଲା ପ୍ରଶାସନ । ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥାତ ଯେଉଁମାନେ ବିନା ମାସ୍କରେ ଘରୁ ବାହାରିବେ ସେମାନଙ୍କ ଉପରେ ଜରିମାନା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସହରାଂଚଳର ଏନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କୁ ଏକ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ । ସେହିପରି ଗ୍ରାମାଂଚଳରେ ୫୦୦ ଟଙ୍କା ଜରିମାନା ପଡିବ । ରୁମାଲ, କଟନ କପଡାକୁ ମାସ୍କ ପରି ବ୍ୟାବାହର କରିହେବ ବୋଲି କହିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ବାହାରେ ବୁଲୁଥିବା ଲୋକ ସେମାନଙ୍କ ମୁହଁ, ନାକକୁ ଘୋଡାଇ ରଖିବାକୁ ଗଂଜାମ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି ।

ବ୍ରହ୍ମପୁର ନିକଟ କୁକୁଡାଖଣ୍ଡି ବ୍ଲକ୍ର ମାଟିଆ ସାହି ଗାଁକୁ ହଟସ୍ପଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଭୁବନେଶ୍ୱରର ସଂକ୍ରମିତ ଅଂଚଳରୁ ଏହି ମାଟିଆ ସାହି ଗାଁକୁ ୧୩୦ଜଣ ଶ୍ରମିକ ଯାଇଛନ୍ତି । ଏହି ଘଟଣା ପ୍ରଶାସନର ନଜରକୁ ଆସିବା ପରେ ମାଟିଆ ସାହି ଗାଁକୁ ସମ୍ପୁର୍ଣ୍ଣ ଲକ-ଡାଉନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗାଁକୁ ପ୍ରବେଶ ଓ ବାହାରିବା ଉପରେ କଟକଣା ଲଗାଯାଇଛି । ଗୋଳନ୍ଥରା ଆଇଆଇସି ଅସ୍ଥାୟୀ ଚେକପୋଷ୍ଟ ନିର୍ମାଣ କରି ଗାଁ ଉପରେ ପୁରା ନଜର ରଖିଛନ୍ତି । ଏଥିସହ କୁକୁଡାଖଣ୍ଡିର ଅତିରିକ୍ତ ତହସିଲଦାରଙ୍କୁ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ଦିଆଯାଇଛି । କୁକୁଡାଖଣ୍ଡିର ତହସିଲଦାର ଏହି ସମ୍ପୁର୍ଣ୍ଣ ଲକ୍ଡାଉନ ଉପରେ ନଜର ରଖିଛନ୍ତି । ଗାଁରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଘରେ ଘରେ ଯୋଗାଇଦିଆଯିବ । କଟକଣା ଉଲ୍ଲଙ୍ଘନ କଲେ ବାଧ୍ୟତାମୂଳକ ଭାବେ କ୍ୱାରେନଟାଇନରେ ରଖାଯିବ ।