ୟୁରିଆ ସାର ପାଇଁ ଭିଡ: ଚାଷ ପାଇଁ ସାର କିଣିବା ବେଳେ କୋରୋନା କଟକଣାକୁ ଭୁଲିଗଲେ ଚାଷୀ; ମାଲକାନଗିରି ଓ ଗଂଜାମ ଜିଲ୍ଲାରୁ ଆସିଛି ସମାନ ଚିତ୍ର

ଭଂଜନଗର ଜିଲୁଣ୍ଡି ସେବା ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ଭିଡରେ ଫସିଗଲା ଆମ୍ବୁଲାନ୍ସ

137

କନକ ବ୍ୟୁରୋ: ସାର ପାଇଁ ଚାଷୀଙ୍କ ଭିଡ । ଚାଷ ପାଇଁ ସାର କିଣିବା ବେଳେ କୋରୋନା କଟକଣାକୁ ଭୁଲିଗଲେ ଚାଷୀ । କାଳରେ ସାମାଜିକ ଦୁରତା ଉପରେ ଗୁରୁତ୍ୱ ଦିଆଯାଉ ଥିବା ବେଳେ ୟୁରିଆ ସାର ନେବା ଲାଗି ମାଲକାଗିରି ଜିଲ୍ଲା ସଦର ମହକୁମାରେ ଶହ ଶହ ଚାଷୀଙ୍କ ଭିଡ ଦେଖିବାକୁ ମିଳିଛି । ଗୁରୁତ୍ୱପୁର୍ଣ କଥା ହେଉଛି, କରୋନା ମହାମାରୀ ସମୟରେ ଚାଷ ପାଇଁ ସାର ଏବଂ ଅତି ଆବଶ୍ୟକୀୟ ସମାଗ୍ରୀକୁ ପଂଚାୟତ କିମ୍ବା ଗାଁ ଗାଁରେ ପହଂଚାଇବା ଲାଗି ଜିଲ୍ଲା ପ୍ରଶାସନର ନିର୍ଦେଶ ରହିଛି । ତଥାପି ସମବାୟ ବିଭାଗ ପକ୍ଷରୁ କୋଭିଡ ନିୟମକୁ ଫୁ କରି ଶହ ଶହ ଚାଷୀଙ୍କୁ ଏକାଠି କରି ସାର ବାଂଟାଯାଉଥିବା ଦେଖିବାକୁ ମିଳିଛି । ଖବର ପାଇ ସ୍ଥାନୀୟ ତହସିଲଦାର ଓ ପୁଲିସ ଘଟଣା ସ୍ଥଳରେ ପହଁଚି ଚାଷୀଙ୍କୁ ବୁଝାସୁଝା କରି ଗାଁକୁ ସାର ପଠାଇବା ଲାଗି ପ୍ରତିଶୃତି ଦେଇଛନ୍ତି ।

ଗଂଜାମ ଜିଲ୍ଲାର ଭଂଜନଗରରୁ ମଧ୍ୟ ସମାନ ଚିତ୍ର ଆସିଛି । ଭଂଜନଗରରେ କରୋନା ନିୟମ ଭୁଲି ୟୁରିୟା ସାର ନେବା ପାଇଁ ଏକାଠି ହେଲେ ଶହଶହ ଚାଷୀ । ଭୁଲିଗଲେ ସାମାଜିକ ଦୂରତା । ଚାଷୀଙ୍କ ଭିଡ ଭିତରେ ଫସିଗଲା ଆମ୍ବୁଲାନ୍ସ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଂଜନଗର ନିକଟସ୍ଥ ଜିଲୁଣ୍ଡି ସମବାୟ ସମିତି ସମ୍ମୁଖରେ । ୟୁରିଆ ସାର ପାଇଁ ୧ ହଜାର ଚାଷୀ ପଂଜିକରଣ କରିଛନ୍ତି । ହେଲେ ସମବାୟ ସମିତିକୁ ଆସିଛି ମାତ୍ର ୪୫୦ ପ୍ୟାକେଟ ସାର । ଯାହାକୁ ନେବା ପାଇଁ ୫ଶହରୁ ଅଧିକ ଚାଷୀ ଭିଡ ଲଗାଇଛନ୍ତି । ତେବେ ଜଣେ ଚାଷୀଙ୍କର ୫ରୁ ୬ ପକେଟ୍ ୟୁରିଆ ସାର ଆବଶ୍ୟକ ପଡୁଥିବା ବେଳେ କମ୍ ସାର ଆସିଥିବାରୁ ଭିଡ ଲାଗୁଥିବା ଅଭିଯୋଗ ହୋଇଛି । ସମବାୟ ସମିତି ଆଗରେ ଚାଷୀଙ୍କ ଭିଡ ଲାଗିଥିବା ବେଳେ ଗହଳି ଭିତରେ ଏକ ଆମ୍ବୁଲାନ୍ସ ଫସି ଯାଇଥିଲା । ଏନେଇ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ଭିଡ ନିୟନ୍ତ୍ରଣ କରିବା ପରେ ଆମ୍ବୁଲାନ୍ସ ଯାଇଥିଲା ।