କନକ ବ୍ୟୁରୋ: ବରମୁଣ୍ଡାରେ ରାମ ନବମୀରେ ବିଶାଳ ବାଇକ ରାଲି । ଏଭଳି ଦୃଶ୍ୟ ହୁଏତ ରାଜଧାନୀବାସୀ ପୂର୍ବରୁ କେବେ ଦେଖିନଥିଲେ । ପ୍ରଥମଥର ପାଇଁ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଏକାଠି ହୋଇଛନ୍ତି ପ୍ରାୟ ୧୦ ହଜାର ଯୁବକ । ପବିତ୍ର ଶ୍ରୀରାମ ନବମୀରେ ଏଭଳି ବିରାଟ ଆୟୋଜନ କରିଛି ହିନ୍ଦୁ ଜାଗରଣ ମଞ୍ଚ । ହାତରେ ଗେରୁଆ ଓ ହନୁମାନ ଝଣ୍ଡା ଧରି, ଜୟ ଶ୍ରୀରାମ ନାରା ଦେଇ ଆଗକୁ ବଢିଛନ୍ତି ରାମଭକ୍ତ । ରାଲି ପାଇଁ ୪ ଚକିଆ ଯାନ ମଧ୍ୟ ପ୍ରସ୍ତୁତ ହୋଇ ଆସିଥିବାବେଳେ କେବଳ ବାଇକ ରାଲି ପାଇଁ ପୋଲିସ ଅନୁମତି ଦେଇଥିଲା । ଏଥିସହ ସାଧାରଣ ଲୋକଙ୍କୁ ଯେଭଳି ସମସ୍ୟା ନହେବ ସେଥିଲାଗି ପର୍ଯ୍ୟାୟକ୍ରମେ ରାଲିଗୁଡିକୁ ଛଡାଯାଇଛି । ଭୁବନେଶ୍ୱର ଡିସିପି ନିଜେ ଉପସ୍ଥିତ ରହି ଏହାକୁ ନିୟନ୍ତ୍ରଣ କରିଛନ୍ତି । ଆଗାମୀ ରାମ ନବମୀ ବେଳକୁ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଶେଷ ହେବା ସହ ରାମ ଲାଲାଙ୍କ ପ୍ରତିଷ୍ଠା ସରିଥିବ । ତେଣୁ ଆସନ୍ତାବର୍ଷ ଆହୁରି ବଡଧରଣରେ ରାଲି କରିବାକୁ ନିଷ୍ପତି ହୋଇଥିବା କହିଛନ୍ତି ଆୟୋଜକ ।

Advertisment

ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ରାଜନୀତିରେ ରାମ ନାମର ବେଶ ଗୁରୁତ୍ୱ ରହିଛି । ଜୟ ଶ୍ରୀରାମ ନାରା ଦେଇ ବିଜେପି ସଂସଦରେ ମାତ୍ର ୨ଟି ଆସନରୁ ବହୁମତ ଯାଏଁ ପହଞ୍ଚି ପାରିଥିଲା । ସେଥିପାଇଁ ରାମ ନାମକୁ ଛାଡି ବିଜେପି ରାଜନୀତି କେନ୍ଦ୍ରୀଭୂତ ହୋଇ ରହିଆସିଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ବିଜେପି ଏହାର ରାଜନୈତିକ ଏଜେଣ୍ଡା ବନାଇ ରଖିଛି । ସେଥିପାଇଁ ଆଜି ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ଭୁବନେଶ୍ୱର ରାମ ମନ୍ଦିରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ସେ ଆହ୍ୱାନ ଦେଇଛନ୍ତି ।

ପ୍ରକୃତରେ ରାମନବମୀ ପାଳନର ଉଦ୍ଦେଶ୍ୟ ହେଉଛି ଶ୍ରୀରାମଙ୍କ ଆଦର୍ଶକୁ ମନେ ପକାଇବା । ଆମ ନିତିଦିନିଆ ଜୀବନରେ ଏହାକୁ ପାଳନ କରିବା । ଆଜି ଆମ ସମାଜରେ ଦେଖା ଦେଉଥିବା ଅନେକ ସମସ୍ୟାର ସମାଧାନ ପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଦର୍ଶକୁ ମାନିବା । ବାପା ମାଆଙ୍କ କଥା କିପରି ପାଳନ କରାଯାଏ ତାହା ପ୍ରଭୁ ଶ୍ରୀରାମଙ୍କ ଠାରୁ ଶିଖିବା ଉଚିତ୍ । ବଡ ଭାଇଙ୍କୁ କିଭଳି ସମ୍ନାନ ଦେବା ଏବଂ ତାଙ୍କ ପ୍ରତ୍ୟେକ କଥାକୁ ମାନିବା ଏହା ଲକ୍ଷ୍ମଣ ଓ ଭରତଙ୍କ ଠାରୁ ଶିଖିବା ଉଚିତ୍ । ସ୍ୱାମୀଙ୍କ ସହ ସୁଖ, ଦୁଃଖ ସବୁ ପରିସ୍ଥିତି ଛିଡା ହେବା ଏହା ଦେବୀ ସୀତାଙ୍କ ଠାରୁ ଶିଖିବା ଉଚିତ୍ । ପ୍ରକୃତରେ ପୌରଣିକ କଥାବସ୍ତୁ ରାମାୟଣ ଆମକୁ ଅନେକ ଶିକ୍ଷା ଦେଇଥାଏ । ରାମାୟଣରେ ଭଗବାନ ରାମଚନ୍ଦ୍ର ଜଣେ ଆଦର୍ଶ ପୁଅ, ଆଦର୍ଶ ସ୍ୱାମୀ, ଆଦର୍ଶ ଭାଇ ଭାବେ ନିଜକୁ ପ୍ରଦର୍ଶିତ କରିଛନ୍ତି । ଯାହାକୁ ଆମେ ସମସ୍ତେ ଅନୁସରଣ କରିବା ଉଚିତ୍ । ମର୍ଯ୍ୟାଦା ପୁରୁଷୋତମ ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଛବି ଯୁଗେ ଯୁଗେ ରହିଥିବ ।