ଆଫଗାନିସ୍ତାନକୁ ଫେରିଲା ତାଲିବାନୀ ଆତଙ୍କ । ଭୟରେ ଦେଶ ଛାଡିବା ପାଇଁ ବିମାନବନ୍ଦରରେ ଭିଡ, ଓହଳି ଯାଉଥିବା ବେଳେ ମଝି ଆକାଶରୁ ତଳକୁ ଖସିଲେ ଦୁଇ ଜଣ ।

267

କନକ ବ୍ୟୁରୋ : ଆଫଗାନିସ୍ତାନ ଉପରେ ତାଲିବାନର କବ୍ଜା ପରେ କାବୁଲ ବିମାନ ବନ୍ଦରରୁ ଆସିଲା ଦେଶ ଛାଡିବାର ବିକଳ ଚିତ୍ର । ନିଜ ଜୀବନ ବଂଚାଇବା ପାଇଁ ଅସ୍ତବ୍ୟସ୍ତ ହୋଇ ବିମାନରେ ଚଢୁଛନ୍ତି ହଜାର ହଜାର ଲୋକ । ବିମାନରେ ଚଢ଼ିବା ପାଇଁ ଯିଏ ଯାହା ଉପରେ ପାଇଲା ଚଢ଼ି ଚାଲିଯାଇଥିଲେ । ଏହି ସମୟରେ ଦଳାଚକଟାରେ ୫ଜଣଙ୍କ ଜୀବନ ଚାଲି ଯାଇଛି । ଏପରିକି ବିମାନରେ ଜାଗା ନପାଇବାରୁ ବିମାନରେ ଓହଳି ଅତି ବିପଦଜନକ ଭାବେ ଝୁଲି ରହିଥିଲେ ଆଫଗାନ ନାଗରୀକ । ଆଉ ବିମାନଟି ଆକାଶରେ ଉଡାଣ ଭରିବା ମାତ୍ରେ ଆକାଶରୁ ଜଣଙ୍କ ପରେ ଜଣେ ଦୁଇ ଜଣ ତଳକୁ ଖସି ପଡିଥିଲେ । ସେପଟେ ରାଷ୍ଟ୍ରପତି ଭବନ ପରେ ଆଫଗାନିସ୍ତାନର ସଂସଦ ଭବନକୁ ନିଜ କବଜାକୁ ନେଇ ଯାଇଛନ୍ତି ଆତଙ୍କବାଦୀ । ଭୟ ଓ ଆଶଙ୍କା ଭିତରେ ନିର୍ବାଚିତ ସରକାରର ପତନ ଘଟିଛି ଓ ଆଫଗାନିସ୍ତାନରେ ପୁଣି ଆରମ୍ଭ ହୋଇଛି ତାଲିବାନ ଯୁଗ ।

ଆଫଗାନିସ୍ତାନରେ ବିମାନରେ ଚଢିବାକୁ ଯେଉଁଭଳି ଭିଡ଼ ଓ ଟଣାଓଟରା ଚାଲିଥିଲା ସେଭଳି ଦୃଶ୍ୟ ହୁଏତ ଆପଣ ପୂର୍ବରୁ କେବେ ଦେଖିନଥିବେ । ତାଲିବାନ ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ରାଜଧାନୀ କାବୁଲ ବିମାନବନ୍ଦରରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ବିପଦ ଓ ଭୟ ଭିତରେ ଜୀବନ ବଂଚାଇବା ପାଇଁ, ଯେମିତି ହେଉ କାବୁଲ ବାହାରକୁ ଚାଲିଯିବା ପାଇଁ ଉଦ୍ୟମ କରୁଛନ୍ତି ଆଫଗାନର ନାଗରିକ । ବିଦେଶକୁ ଯାତ୍ରା ପାଇଁ ଅପେକ୍ଷା କରିଥିବା ବିମାନ ଭିତରେ ପ୍ରବେଶ ପାଇଁ ଭିଡ ଲଗାଇଛନ୍ତି ହଜାର ହଜାର ଲୋକ । କିଏ ବିମାନରେ ଚଢ଼ିବା ପାଇଁ ଥିବା ସିଡିରେ ଓହଳିଛି ତ ଆଉ କିଏ ଯେମିତି ହେଉ ବିମାନ ମଧ୍ୟକୁ ପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ।

ଆମେରିକାର ଏକ ସ୍ୱତନ୍ତ୍ର ବିମାନ ଯେତେବେଳେ ଆମେରିକୀୟଙ୍କୁ ଉଦ୍ଧାର କରି, ବିମାନବନ୍ଦରେ ଉଡାଣ ଭରିବାକୁ ଯାଉଥିଲା, ସେତେବେଳେ ବିମାନର ଆଗେ ଆଗେ ରନୱେରେ ଦଉଡିଥିଲେ ସାଧାରଣ ଜନତା । ଦୁଇଟି ହେଲିକପ୍ଟର ସହାୟତାରେ ଲୋକଙ୍କୁ ଘଉଡାଇବା ପରେ ଉଡାଣ ଭରିଥିଲା ୟୁଏସଏ ବିମାନ । ତାଲିବାନୀ ଆତଙ୍କବାଦୀଙ୍କ କବଳରୁ ଜୀବନ ବଞ୍ଚାଇବା ପାଇଁ ବିମାନରେ ଜାଗା ନପାଇବାରୁ ବିମାନରେ ଓହଳି ଅତି ବିପଦଜନକ ଭାବେ ଝୁଲି ରହିଥିଲେ ତିନି ଆଫଗାନ ନାଗରିକ । ଆଉ ଯେତେବେଳେ ବିମାନଟି ଆକାଶରେ ଉଡିବା ଆରମ୍ଭ କରିଥିଲା ତା ପରର ଦୃଶ୍ୟ ଥିଲା ଅତି ବିଭତ୍ସ । ବିମାନରୁ ଜଣଙ୍କ ପରେ ଜଣେ ଦୁଇ ଜଣ ତଳକୁ ଖସି ପଡିଥିଲେ ।

ଯେତେବେଳେ ହଠାତ୍ ଏକକାଳୀନ ହଜାର ହଜାର ଲୋକ ବିମାନବନ୍ଦରରେ ପହଁଚିଥିଲେ, ଆଉ ଲାଗିଥିବା ବିମାନରେ ଚଢ଼ିବା ପାଇଁ ଉଦ୍ୟମ କରୁଥିଲେ ସେତେବେଳେ ଯିଏ ଯାହା ଉପରେ ପାଇଲା ଚଢ଼ି ଚାଲିଯାଇଥିଲେ । ଏହି ସମୟରେ ଦଳାଚକଟାରେ ୫ଜଣଙ୍କ ଜୀବନ ଚାଲି ଯାଇଥିଲା । ୨୦ ବର୍ଷ ପରେ ପୁଣି ଥରେ ଆଫଗାନିସ୍ତାନରେ ଫେରିଛି ତାଲିବାନୀ ଯୁଗ । ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆରକୁ ନେବା ପରେ ଯେଉଁଠି ଅସରଫ ଘନି ବସି ବୈଠକ କରନ୍ତି, ସେଠାରେ ବନ୍ଧୁକଧାରୀ ତାଲିବାନୀ ଆତଙ୍କବାଦୀ ବୁଲୁଛନ୍ତି । ଆଉ ଏକାଠି ହୋଇ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ରାଷ୍ଟ୍ରପତି ଭବନ ପରେ ଆଫଗାନିସ୍ତାନର ସଂସଦ ଭବନକୁ ନିଜ କବଜାକୁ ନେଇ ଯାଇଛନ୍ତି ଆତଙ୍କବାଦୀ । ସାଂସଦମାନେ ବସି ଆଇନ ପ୍ରସ୍ତୁତ କରୁଥିବା ଗୃହରେ ବନ୍ଧୁକ ଧରି ବୁଲୁଛନ୍ତି ତାଲିବାନୀ । ବଦଳିଛି ଆଫଗାନର ଚିତ୍ର । ପ୍ରବେଶ ଓ ପ୍ରସ୍ଥାନ ପଥରେ ଯେଉଁଠି ଦିନେ ଆଫଗାନ ସେନା ଛିଡା ହୋଇଛି ଯାତ୍ରୀଗାଡି ଓ ଯାତ୍ରୀଙ୍କ ଯାଞ୍ଚ କରୁଥିଲେ ଆଜି ସେଠାରେ ଛିଡା ହୋଇଛନ୍ତି ତାଲିବାନୀ । ଏଠାକୁ ଆସୁଥିବା ପ୍ରତ୍ୟେକ ଗାଡି ଉପରେ ରହିଛି ଏମାନଙ୍କ କଡ଼ା ନଜର । ହାତରେ ହତିଆର, ଆଖିରେ କଡ଼ା ନଜର ସହ ତାଲିବାନୀମାନେ ପ୍ରତ୍ୟେକ ଚେକିଂ ପଏଂଟରେ ପଇଁତାର ମାରୁଛନ୍ତି । ଦେଶ ଛାଡି ପଳାୟନ କରିବା ପରେ ଫେସବୁକରେ ପୋଷ୍ଟ କରି ସଫେଇ ରଖିଛନ୍ତି ରାଷ୍ଟ୍ରପତି ଅସରଫ ଘନି ।

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ୱାଶିଂଟନ ଡିସିରେ ଆରମ୍ଭ ହୋଇଛି ବିକ୍ଷୋଭ । ଏଠାରେ ରହୁଥିବା ଆଫଗାନବାସୀ ବାଇଡେନ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ହ୍ୱାଇଟହାଉସ ସମ୍ମୁଖରେ ଶତାଧିକ ସଂଖ୍ୟକ ଆଫଗାନବାସୀ ଏକାଠି ହୋଇ ଆମେରିକା ସରକାରଙ୍କ ବିରୋଧରେ ନାରାବାଜି କରୁଛନ୍ତି । ଆମେରିକା ସରକାର ଆଫଗାନ୍ ସହ ବିଶ୍ୱାସଘାତ କରିଥିବା ଏମାନେ ଅଭିଯୋଗ କରି ପ୍ରତିବାଦ କରୁଛନ୍ତି ।