ହୁବେଇରେ ସାମାନ୍ୟ ହେଉଛି ସ୍ଥିତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରୁ ୯୦ଦିନ ପରେ ହଟିଲା ଲକ୍ ଡାଉନ୍ । ୪ମାସ ପରେ ଘର ମୁହାଁ ହେଲେ ସହରରେ ଫସି ରହିଥିବା ଲୋକେ ।

5,043

କନକ ବ୍ୟୁରୋ: କରୋନା ଭାଇରସର ଭୟାବହତା ଭିତରେ ଆସିଛି କିଛି ଆଶ୍ୱସ୍ତିକର ଖବର । ୯୦ଦିନ ପରେ ପୁଣି ଖୋଲିଛି ଚୀନର ହୁବେଇ ପ୍ରାନ୍ତ । ଚୀନରେ କରୋନା ଭୂତାଣୁ ସଂକ୍ରମଣକୁ କିଛି ମାତ୍ରାରେ ରୋକାଯାଇଥିବା ଯୋଗୁଁ ଏବେ ସ୍ଥିତି ସ୍ୱାଭାବକ ହୋବକୁ ଲାଗିଛି ।

ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ଚୀନ୍କୁ କିଛିଟା ସଫଳତା ମିଳିଛି । ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଫଳରେ ହୁବେଇରୁ ଲକ୍ ଡାଉନ ହଟାଇ ଦିଆଯାଇଛି । ହୁବେଇ ପ୍ରାନ୍ତରେ ରହୁଥିବା ପ୍ରାୟ ୫କୋଟି ୬୦ଲକ୍ଷ ଲୋକ ଏବେ ମୁକ୍ତ ହୋଇଛନ୍ତି । ୩ମାସ ଧରି ବନ୍ଦ ରହିବା ପରେ ଏବେ ଲୋକେ ବାହାରକୁ ବାହାରିବା ସହ ହୁବେଇରେ ଫସି ରହିଥିବା ଲୋକେ ଘର ମୁହାଁ ହୋଇଛନ୍ତି । ଏଥିପାଇଁ ସାଧାରଣ ପରିବହନ ସେବା ମଧ୍ୟ ଆରମ୍ଭ ହୋଇଛି । ତେବେ ହୁବେଇ ପ୍ରାନ୍ତର ରାଜଧାନୀ ଉହାନ ଏବେ ମଧ୍ୟ ଲକ୍ ଡାଉନ ବା ତାଲା ବନ୍ଦ ହୋଇ ରହିଛି । ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଏଠାରେ କଟକଣା ଲାଗିଛି ।

ହୁବେଇରେ ପରିସ୍ଥିତି ସାମାନ୍ୟ ହେବା ପରେ ହୁବେଇରୁ ବାହାରି ଫଶିରହିଥିବା ଲୋକେ ନିଜ ଘରକୁ ଫେରିଛନ୍ତି । କଟକଣା ହଟିବା ପରେ ଟ୍ରେନ ଯୋଗେ ଅନହୁଇ ପ୍ରାନ୍ତରୁ ହୁବେଇକୁ ଫେରିଛନ୍ତି ଏହି ଯୁବତୀ । ଦୀର୍ଘ ଦିନ ପରେ ନିଜ ଘରକୁ ଫେରିଥିବା ଯୋଗୁଁ ସେ ଖୁସି ପ୍ରକାଶ କରିଛନ୍ତି । ସେହିପରି ହୁବେଇରେ ବସ୍ ସେବା ମଧ୍ୟ ଆରମ୍ଭ ହୋଇଛି ।

ହୁବେଇରେ କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ ବିଭିନ୍ନ ଅଂଚଳରୁ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଏଠାକୁ ଆସିଥିଲେ । ହୁବେଇର ୧୪ଟି ଅସ୍ଥାୟୀ ଡାକ୍ତରଖାନାରେ ପ୍ରାୟ ୩ହଜାର ୬୭୫ ସ୍ୱାସ୍ଥ୍ୟ କର୍ମୀ ୪୧ଟି ଟିମରେ ଭାଗ ହୋଇ ସ୍ୱାସ୍ଥ୍ୟ ସେବା ଯୋଗାଉଥିଲେ । ଦୀର୍ଘ ତିନି ମାସ ଧରି ସେମାନ ଅନବରତ ଭାବେ ଚିକିତ୍ସା ସେବା ଯୋଗାଇବା ପରେ ଏବେ ସେମାନେ ମଧ୍ୟ ନିଜ ନିଜ ଘରକୁ ଫେରିଛନ୍ତି । ତାଙ୍କୁ ସମ୍ମାନ ଜଣାଇ ସୁରକ୍ଷାକର୍ମୀ ମାନେ ତାଙ୍କୁ ସାଲ୍ୟୁଟ କରିଛନ୍ତି । ସେପଟେ ଚୀନ୍ ପରେ ଇଟାଲୀରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଫଳରେ ଚୀନ୍ର ୩ଶହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମା ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଇଟାଲୀରେ ପହଂଚିଛନ୍ତି । ସେଠାରେ ସେମାନେ ଇଟାଲୀ ଡାକ୍ତରଙ୍କ ସହ ମିଳିତ ଭାବେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି ।