ଭାରତ ଆସନ୍ତାକାଲିଠାରୁ ଜାତିସଂଘ ନିରାପତ୍ତା ପରିଷଦର ନେତୃତ୍ବ ନେବାକୁ ଯାଉଛି । ଆଗାମୀ ମାସକ ପର୍ଯ୍ୟନ୍ତ ଜାତିସଂଘ ସୁରକ୍ଷା ପରିଷଦର ସଭାପତି ଦାୟିତ୍ବ ଭାରତ ତୁଲାଇବ । ଏହି ସମୟ ମଧ୍ୟରେ ସୁରକ୍ଷା ପରିଷଦର ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭାରତ ନେବ । ଭାରତର ଅଧ୍ୟକ୍ଷତା ସମୟରେ ସାମୁଦ୍ରିକ ସୁରକ୍ଷା, ଆଞ୍ଚଳିକ ଶାନ୍ତି ଓ ସ୍ଥିରତା, ଆତଙ୍କବାଦ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିବା ଆଦି ଫୋକସ୍ରେ ରହିବ । ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟିଏସ୍ ତିରୁମୂର୍ତ୍ତି ଜାତିସଂଘ ମୁଖ୍ୟଙ୍କୁ ଭାରତର ରଣନୀତି ସଂପର୍କରେ ଅବଗତ କରାଇଛନ୍ତି। ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରିବା ଆମ ପାଇଁ ଗର୍ବ ଓ ସମ୍ମାନର ବିଷୟ ବୋଲି ସେ କହିଛନ୍ତି । ଯେଉଁ ମାସରେ ଭାରତ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି ସେହି ସମୟରେ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷତା ଭାରତ ନିୟନ୍ତ୍ରଣରେ ରହିବା ଅତୀବ ଗୁରୁତ୍ବପୂର୍ଣ୍ଣ ବୋଲି ତିରୁମୂର୍ତ୍ତି କହିଛନ୍ତି । ଭାରତ ସୋମବାରଠାରୁ ଆନୁଷ୍ଠାନିକ ଭାବେ ନିରାପତ୍ତା ପରିଷଦର କାମ ଆରମ୍ଭ କରିବ ଏବଂ ଏହା ପ୍ରଥମ କାର୍ଯ୍ୟଦିବସ ହେବ।
ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ସବା ଆଗରେ ରହୁଥିବା ବେଳେ ଏବେ ଏ ଦିଗରେ କେତେକ ନିର୍ଣ୍ଣାୟକ ନିଷ୍ପତ୍ତି ନେବ। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରମାନଙ୍କ ବିରୋଧରେ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ ପାଇଁ ବିଶ୍ବ ସମୁଦାୟର ସମର୍ଥନ ହାସଲ ପାଇଁ ଭାରତ ପ୍ରୟାସ କରିବ ବୋଲି ତିରୁମୂର୍ତ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରତି ବିପଦର କାରଣ ପାଲଟିଥିବା ଶକ୍ତିଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ଭାରତ ନୂଆ ରଣନୀତିରେ କାର୍ଯ୍ୟ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଜାତିସଂଘ ନିରାପତ୍ତା ପରିଷଦର ଏକ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ଭାରତର ଦୁଇ ବର୍ଷର କାର୍ଯ୍ୟକାଳ ୧ ଜାନୁଆରି ୨୦୨୧ରୁ ଆରମ୍ଭ ହୋଇଛି। ୨୦୨୧-୨୨ କାର୍ଯ୍ୟକାଳ ମଧ୍ୟରେ ଭାରତ ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରିବାରେଏହା ପ୍ରଥମ ପାଳି ହେବ। ଆସନ୍ତା ବର୍ଷ ଡିସେମ୍ବର ମାସରେ ମଧ୍ୟ ପୁଣି ଥରେ ଭାରତ ସୁରକ୍ଷା ପରିଷଦର ସଭାପତି ଦାୟିତ୍ବ ତୁଲାଇବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/UN-Security-Council.jpg)