କନକ ବ୍ୟୁରୋ : ‘ମୋମୋ’ ଗେମ୍କୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଖେଳ ଯୋଗୁଁ ଦେଶରେ ଅନେକ ଛାତ୍ରଛାତ୍ରୀଙ୍କର ପ୍ରାଣହାନୀ ଘଟିଛି। ଓଡ଼ିଶାରେ ମଧ୍ୟ ଏହି ଖେଳ ଭୟାନକ ରୂପ ନେଇଛି। କେତେଜଣଙ୍କ ଜୀବନହାନି ଘଟିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ନିୟମାବଳୀ ଜାରି କରାଯାଇ ଛାତ୍ରଛାତ୍ରୀ ଏହି ଖେଳ ପ୍ରତି ଯେମିତି ଆକୃଷ୍ଟ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ହେବାକୁ କୁହାଯାଇଥିଲା। ଏବେ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସ୍ଇ) ପକ୍ଷରୁ ମଧ୍ୟ ନିୟମାବଳୀ ଜାରି ହୋଇଛି। ‘ମୋମୋ’ ଖେଳଠାରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ରଖିବାକୁ ଅଭିଭାବକ, ସ୍କୁଲ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।
ସିବିଏସ୍ଇ ପକ୍ଷରୁ କୁହାଯାଇଛି ଯେ ମୋମୋ ଖେଳ ହ୍ୱାଟସଆପ ମାଧ୍ୟମରେ ପ୍ରସାରିତ ହେଉଛି। ଏହି ଖେଳ ଦ୍ୱାରା ଯୁବକ ଯୁବତୀ, ଛାତ୍ରଛାତ୍ରୀ ଆକୃଷ୍ଟ ହୋଇ ଶେଷ ଟାସ୍କରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ପ୍ରଥମେ ଏକ ଅଜଣା ନମ୍ବରରୁ ଏହି ଖେଳ ଆସିଥାଏ। ଏହାର ପ୍ରୋଫାଇଲ୍ ଫଟୋରେ ଗୋଟିଏ ଝିଅର ବଡପାଟି ଓ ଆଖି ରହିଥାଏ। ହ୍ୱାଟସଆପ ବ୍ୟବହାର କରୁଥିବା ବ୍ୟକ୍ତି ଓ କୋମଳମତି ଛାତ୍ରଛାତ୍ରୀ ‘ମୋମୋ’ ଖେଳିବାକୁ ବାଧ୍ୟ ହୋଇଥାନ୍ତି। ପରବର୍ତୀ ସମୟରେ ଏହି ଖେଳ ଜୀବନ ନିଏ।
ଆହୁରି କୁହାଯାଇଛି ଯେ ହ୍ୱାଟସଆପ ମାଧ୍ୟମରେ ଅଜଣା ଲିଙ୍କ୍ ଆସିଲେ ତାହାକୁ ତୁରନ୍ତ ଡିଲିଟ୍ କରିଦେବା ଆବଶ୍ୟକ। ଯଦି କୌଣସି ଅଜଣା ନମ୍ବରରୁ ଫୋନ୍ ଦ୍ୱାରା ‘ମୋମୋ’ ଖେଳିବାକୁ ପ୍ରବର୍ତ୍ତାଇଥାଆନ୍ତି ତେବେ ତୁରନ୍ତ ସେହି ଫୋନଟି କାଟି ଦେଇ ମୋବାଇଲରୁ ସମ୍ପୂର୍ଣ୍ଣରୂପ ବ୍ଲକ କରିଦେବା ଜରୁରୀ।
ଅଭିଭାବକଙ୍କୁ କୁହାଯାଇଛି ଯେ ଯଦି ପିଲାମାନେ ଇଣ୍ଟରନେଟ୍ ବ୍ୟବହାର କରୁଥାଆନ୍ତି ତେବେ ସେମାନଙ୍କୁ ଗୁପ୍ତରେ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ। ହଠାତ୍ ସୋସିଆଲ୍ ମିଡିଆରେ ଅଧିକ ଖେଳିବାକୁ ଚେଷ୍ଟା କରୁଥିଲେ ତାଙ୍କୁ ସେଥିରୁ ଦୂରେଇ ରଖିବାକୁ ଚେଷ୍ଟ କରନ୍ତୁ। ପିଲାମାନେ ମୋବାଇଲ୍ ବ୍ୟବହାର କରୁଥିବା ଅବସ୍ଥାରେ ତାଙ୍କ ପାଖକୁ ଗଲେ ସ୍କ୍ରିନ୍ ବଦଳାଇଥାଆନ୍ତି। ଇଣ୍ଟରନେଟ୍ ମ୍ୟାସେଜ୍ ପାଇବା ପରେ ପିଲାମାନେ ରାଗି ଯାଆନ୍ତି। ମୋମୋ ଖେଳୁଥିବା ପିଲାମାନେ ନୂଆ ନୂଆ ଫୋନ୍ ନମ୍ବର ବ୍ୟବହାର କରନ୍ତି। ତାହାକୁ ଦୃଷ୍ଟିରେ ରଖି ଅଭିଭାବକମାନେ ପିଲାଙ୍କୁ ଇଣ୍ଟରନେଟ୍ଠାରୁ ଦୂରେଇ ରଖିବା ସହ ନଜର ରଖିବା ଆବଶ୍ୟକ।
ଯଦି ପିଲା ମୋମୋ ଖେଳୁଥିବା ଜଣାପଡ଼େ ତେବେ ତୁରନ୍ତ ଅନ୍ୟମାନଙ୍କୁ ଏବିଷୟରେ ଜଣାଇ ଦିଅନ୍ତୁ। ସ୍କୁଲ ଶିକ୍ଷକମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ହାବଭାବ ଉପରେ ନଜର ରଖିବା ନିତ୍ୟାନ୍ତ ଜରୁରୀ। ପିଲାଙ୍କ ମନୋଭାବରେ ହଠାତ୍ ପରିବର୍ତନ ହେଲେ ତାଙ୍କ ସହ କଥାବାର୍ତା କରି ଅସୁବିଧା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିବାକୁ ପରାମର୍ଶ ଦିଆଯାଇଛି।