ଆଜିଠାରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ : ସୁପରିଚାଳନା ପାଇଁ ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା

29

କନକ ବ୍ୟୁରୋ : ଆଜିଠାରୁ ମାଟ୍ରିକ ପରୀକ୍ଷା । ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା । ୮ଟା ୧୫ରୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛାତ୍ରଛାତ୍ରୀମାନେ ପ୍ରବେଶ କରିବେ । ପରୀକ୍ଷାର୍ଥୀଙ୍କୁ ୮ଟା ୩୦ରେ ଓଏମଆର ସିଟ୍ ଓ ୮ଟା ୪୫ରେ ପ୍ରଶ୍ନପତ୍ର ବୁକଲେଟ୍ ବଂଟନ କରାଯିବ । ୮ଟା ୪୫ରୁ ୯ଟା ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ପ୍ରଶ୍ନକୁ ପଢ଼ିବାର ସୁଯୋଗ ପାଇବେ । ଚଳିତ ଥର ମୋଟ ୬ ଲକ୍ଷ ୮ ହଜାର ୬୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥିପାଇଁ ସାରା ରାଜ୍ୟରେ ୨ହଜାର ୯୩୮ଟି ପରୀକ୍ଷା କେନ୍ଦ୍ର ଓ ୨୯୫ଟି ନୋଡାଲ ସେଂଟର କରାଯାଇଥିଲା ।
ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ରଗୁଡିକ ୨୪ଘଂଟିଆ ସୁରକ୍ଷା ମଧ୍ୟରେ ରଖାଯାଇଛି । ପ୍ରଶ୍ନପତ୍ରକୁ ପରୀକ୍ଷା କେନ୍ଦ୍ରକୁ ପୁଲିସ ଅଧିକାରୀ ଓ ନୋଡାଲ ସେଂଟର କର୍ମଚାରୀଙ୍କ ତତ୍ୱାବଧାନରେ ପଠାଯାଇଛି । ତେବେ ମାଓ ପ୍ରବଣ କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ଥାନାକୁ ହିଁ ନୋଡାଲ ସେଂଟର କରାଯାଇଛି । ସେହିପରି ମାଓପ୍ରବଣ ଅଂଚଳରେ ୨୭ଟି ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷାର ସୁପରିଚାଳନା ପାଇଁ ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି ।

ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ସ୍କାର୍ଡ ,ଜିଲ୍ଲା ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ୫୭ଟି ସ୍କାର୍ଡ, ଓ ବୋର୍ଡ ପକ୍ଷରୁ ୩୬ଟି ସ୍ପେଶାଲ ସ୍କାର୍ଡ ଗଠନ କରାଯାଇଛି । ସେପଟେ ମାଟ୍ରିକ ପରୀକ୍ଷା ପାଇଁ ମାଧ୍ୟମିକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ କଂଟ୍ରୋଲ ରୁମ ଖୋଲାଯାଇଛି । ମାଟ୍ରିକ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ସେଂଟର ସୁପରିଟେଣ୍ଡଂଟ, ନୋଡାଲ ସେଂଟର ମୁଖ୍ୟ ଓ ଛାତ୍ରଛାତ୍ରୀ ଫୋନ କରି ଜାଣିପାରିବେ ।