କନକ ବ୍ୟୁରୋ : ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୪ ଜାନୁଆରୀରୁ ୱେଷ୍ଟଇଣ୍ଡିଜରେ ଏହି ବିଶ୍ୱକପ ମୁକାବିଲା ଆରମ୍ଭ ହେବ । ଭାରତୀୟ ଦଳ ଘୋଷଣା ହୋଇଥିବା ବେଳେ ୟଶ ଧୂଲଙ୍କୁ ଟିମର ଅଧିନାୟକ କରାଯାଇଛି । ସେହିଭଳି ଏହି ଜୁନିୟର ବିଶ୍ୱକପ ଟିମରେ ଋଷିକେଶ କନିତକରଙ୍କୁ ମୁଖ୍ୟ କୋଚ୍ ଭାବେ ଗୁରୁଦାୟିତ୍ୱ ମିଳିଛି ।

Advertisment

ବିସିସିଆଇ ସୂଚନା ମୁତାବକ, ଋଷିକେଷ କନିତକରଙ୍କୁ ୧୯ ବର୍ଷରୁ କମ ବିଶ୍ୱକପ ଦଳର ମୁଖ୍ୟ କୋଚ କରାଯାଇଥିବା ବେଳେ ସିରାଜ ବହୁତୁଲେଙ୍କୁ ବୋଲିଂ କୋଚ୍ ଓ ମୁନୀଷ ବାଲିଙ୍କୁ ଫିଲ୍ଡିଂ କୋଚ୍ ନିଯୁକ୍ତ କରାଯାଇଛି । ତେବେ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ପାଇଥିବା ଋଷିକେଷ କନିତକର କିଏ? ଥରେ ତାଙ୍କର କ୍ୟାରିୟର ଗ୍ରାଫ୍ ଉପରେ ନଜର ପକାନ୍ତୁ । ଋଷିକେଷ କନିତକର ପୂର୍ବରୁ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳି ସାରିଛନ୍ତି । କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚରେ ଶେଷ ବଲରେ ଚୌକା ମାରି ଦଳକୁ ବିଜୟୀ କରିବା ସହ ଇତିହାସ ପୃଷ୍ଠାରେ ନିଜ ନାଁ ଲେଖିଥିଲେ କନିତକର ।

ବାଂଲାଦେଶର ସ୍ୱାଧୀନତାକୁ ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଯେଉଁଥିରେ ଭାରତ, ପାକିସ୍ତାନ ଓ ବାଂଲାଦେଶ ଟିମ୍ ଭାଗ ନେଇଥିଲେ । ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ବେଷ୍ଟ ଅଫ୍ ଥ୍ରୀ ଫର୍ମାଟରେ ଫାଇନାଲ ମୁକାବିଲା ଖେଳାଯାଉଥିଲା । ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ମୈଦାନକୁ ଓହ୍ଳାଇଥିଲା ।

publive-imageବେଷ୍ଟ ଅଫ୍ ଥ୍ରୀର ୩ଟି ଫାଇନାଲ ମୁକାବିଲା ଢାକାରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ପାକିସ୍ତାନ ଜିତିନେଇଥିଲା । ତେଣୁ ଶେଷ ମୁକାବିଲା ଉପରେ ସମସ୍ତଙ୍କର ନଜର ରହିଥିଲା । ଆଉ ଏହା ହିଁ ପ୍ରକୃତ ଫାଇନାଲ ମୁକାବିଲା ଥିଲା । ୪୮ ଓଭର ବିଶିଷ୍ଟ ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ । ଏହି ମ୍ୟାଚରେ ଭାରତକୁ ୩୧୫ ରନର ବିଜୟଲକ୍ଷ୍ୟ ଦେଇଥିଲା ପାକିସ୍ତାନ । ଆଉ ଏହି ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରଥମରୁ ହିଁ ବିସ୍ଫୋରକ ବ୍ୟାଟିଂ କରିଥିଲା । ଦଳର ଟପ୍ ଅର୍ଡର ଧୂଆଁଧାର ବ୍ୟାଟିଂ କରି ବିଜୟକୁ ଏକପ୍ରକାର ପକ୍କା କରି ସାରିଥିଲେ । କିନ୍ତୁ ମ୍ୟାଚର ଶେଷ ଆଡକୁ ଫଳାଫଳ ବିପରୀତମୁଖୀ ହେଲା । ୨୫୦ ରନରେ ୨ଟି ୱିକେଟ ହରାଇଥିବା ଥିବା ଭାରତ ୩୦୬ ରନରେ ୭ଟି ୱିକେଟ ହରାଇ ସାରିଥିଲା । ଏଭଳି ସ୍ଥିତିରେ କିଏ ଜିତିବ ଓ କିଏ ହାରିବ ତାହା ଉପରେ ସମସ୍ତଙ୍କର ନଜର ଥିଲା ।

publive-imageଶେଷ ଓଭରରେ ଭାରତକୁ ବିଜୟ ପାଇଁ ୩ ରନର ଆବଶ୍ୟକ ଥିଲା । ଷ୍ଟ୍ରାଇକରେ ଥିଲେ କନିତକର ଆଉ ବୋଲିଂ କରୁଥିଲେ ସାକଲିନ ମୁସ୍ତାକ । ଶେଷ ଓଭରର ପଞ୍ଚମ ବଲରେ ଚୌକା ମାରି ଭାରତକୁ ଏହି ବଡ ବିଜୟ ଭେଟି ଦେଇଥିଲେ କନିତକର । ଆଉ ଏହି ବିଜୟ ଭାରତ ପାଇଁ ଐତିହାସିକ ଥିଲା ଏବଂ କନିତକରଙ୍କ ପାଇଁ ସବୁଠୁ ଶ୍ରେଷ୍ଠ ମୁହୂର୍ତ୍ତ । ଏହି ମ୍ୟାଚରେ ଭାରତର ବିଜୟ କନିତକରଙ୍କୁ ଭାରତୀୟ କ୍ରିକେଟ ପ୍ରଂଶସକଙ୍କ ମଧ୍ୟରେ ନୂଆ ପରିଚୟ ଦେଇଥିଲା । କନିତକର ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ମଧ୍ୟରେ ୩୪ଟି ଦିନିକିଆ ମ୍ୟାଚ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ତେବେ ପାକିସ୍ତାନ ବିପକ୍ଷ ଇନିଂସ ପାଇଁ କନିତକରଙ୍କୁ ମନେ ରଖିଛନ୍ତି ଭାରତୀୟ କ୍ରିକେଟପ୍ରେମୀ । ଆଉ ଏବେ ତାଙ୍କ ହାତରେ ୧୯ ବର୍ଷରୁ କମ ବିଶ୍ୱକପ୍ ଦଳର କମାଣ ଦେଇଛି ବିସିସିଆଇ ।