ଆଇପିଏଲ ଅଧାରୁ ଓହରିଲେ ସିକ୍ସର କିଙ୍ଗ୍ କ୍ରିସ୍ ଗେଲ । କାରଣ କିଛି ଏମିତି ଦେଲେ ।

1,146

କନକ ବ୍ୟୁରୋ : ଆଇପିଏଲ ଅଧାରୁ ଓହରିଲେ ପଞ୍ଜାବ କିଙ୍ଗସର ଦୁର୍ଦ୍ଦଷ ବ୍ୟାଟସମ୍ୟାନ କ୍ରିସ୍ ଗେଲ୍ । ଯାହାଦ୍ୱାରା ୟୁଏଇରେ ହେବାକୁ ଥିବା ବଳକା ମ୍ୟାଚରେ ପଞ୍ଜାବ ପକ୍ଷରୁ ଖେଳିବେ ନାହିଁ ଗେଲ । ବାୟୋ ବବଲରେ ଦୀର୍ଘ ଦିନ ରହିଥିବାରୁ ଟିକିଏ ଫାଙ୍କା ସମୟ ଅତିବାହିତ କରିବାକୁ ଆଇପିଏଲ ବାୟୋ ବବଲରୁ ନିଜକୁ ଦୂରେଇ ନେଇଛନ୍ତି ଗେଲ । ଆଉ ଆଇପିଏଲର ବାୟୋ ବବଲରୁ ବାହାରିବା ଅର୍ଥ ଟୁର୍ଣ୍ଣାମେଣ୍ଟରୁ ଆଉଟ୍ ହେବା । କାରଣ ଭାରତରେ କରୋନା କାରଣରୁ ଆଇପିଏଲକୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ପରେ ୟୁଏଇରେ ବଳକା ମ୍ୟାଚ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେଣୁ ୟୁଏଇରେ ହେଉଥିବା ବଳକା ମ୍ୟାଚ୍ ପାଇଁ ବାୟୋ ବବଲ କଟକଣାକୁ କଡାକଡି କରାଯାଇଛି ।

ୟୁଏଇରେ ଖେଳାଯାଉଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚରେ ପଞ୍ଜାବ ପକ୍ଷରୁ କ୍ରିସ୍ ଗେଲ ମାତ୍ର ୨ଟି ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଏହି ୨ଟି ମ୍ୟାଚରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନାହାନ୍ତି ଗେଲ୍ । ଏହାଛଡା ଆଗକୁ ଟି-୨୦ ବିଶ୍ୱକପ୍ ଥିବାରୁ ଗେଲ ନିଜକୁ ମାନସ୍ତିକସ୍ତରରେ ସମ୍ପୂର୍ଣ୍ଣ ଫିଟ୍ ରଖିବାକୁ ଚାହୁଁଛନ୍ତି । କାରଣ କରୋନା ପରେ କ୍ରିକେଟ ଖେଳ ଆରମ୍ଭ ହୋଇଥିବା ବେଳେ ଗେଲ ସେବେଠାରୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ପାଇଁ ବାୟୋ ବବଲରେ ରହି ଆସୁଛନ୍ତି । ସିପିଏଲ ଶେଷ ହେବା କ୍ଷଣି ଗେଲ୍ ତୁରନ୍ତ ଆଇପିଏଲ ପାଇଁ ଦୁବାଇ ଅଭିମୁଖେ ଯାତ୍ରା କରିଥିଲେ । ତେଣୁ ଏତେ ଦିନ ହେବ ବାୟୋ ବବଲରେ ରହି ଗେଲ କିଛି ମାତ୍ରାରେ ଭାରାକ୍ରାନ୍ତ ହୋଇଥିଲେ । ଯେଉଁଥିପାଇଁ ଆଇପିଏଲ ଅଧାରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ଗେଲ୍ ।

୪୨ ବର୍ଷୀୟ ଗେଲ କହିଛନ୍ତି, ମୁଁ ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ପାଇଁ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି । ସେଥିପାଇଁ ଆଇପିଏଲ ଅଧାରୁ ବ୍ରେକ ନେବାକୁ ଚାହୁଁଛି । ମୋତେ ସବୁ ସମୟରେ ସହଯୋଗ କରିଥିବାରୁ ପଞ୍ଜାବ କିଙ୍ଗସକୁ ଧନ୍ୟବାଦ । ମୋର ଶୁଭକାମନା ସବୁବେଳେ ଟିମ୍ ସହ ରହିଛି । ଆଗକୁ ଆସୁଥିବା ମ୍ୟାଚ୍ ପାଇଁ ପଞ୍ଜାବ ଟିମକୁ ଶୁଭେଚ୍ଛା ଓ ଶୁଭକାମନା । ଗେଲଙ୍କ ଏଭଳି ନିଷ୍ପତ୍ତିକୁ ପଞ୍ଜାବ କିଙ୍ଗସ ସମର୍ଥନ ଦେବା ସହ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଶୁଭକାମନା ଜଣାଇଛନ୍ତି ।