ଆପଣଙ୍କ ଆଧାରକାର୍ଡରେ ମୋବାଇଲ ନମ୍ବର ଲିଙ୍କ୍ ଅଛି କି? ଜାଣିବା ପାଇଁ ପଢନ୍ତୁ ପୂରା ରିପୋର୍ଟ ।

1,526

କନକ ବ୍ୟୁରୋ : ଏବେ ପ୍ରତିଟି କ୍ଷେତ୍ରରେ ଆଧାରକାର୍ଡର ଆବଶ୍ୟକତା ପଡୁଛି । ନୂଆ ଗ୍ୟାସ୍ କନେକ୍ସନ ଠାରୁ ଆରମ୍ଭ କରି ବ୍ୟାଙ୍କ ସମ୍ବନ୍ଧୀୟ କାମରେ ଆଧାରକାର୍ଡ ନହେଲେ କାମ ଆଗକୁ ବଢୁନାହିଁ । ତେବେ ପୂର୍ବରୁ ହୋଇଥିବା ଆଧାରକାର୍ଡରେ ସମସ୍ତ ତଥ୍ୟ ଉପଲବ୍ଧ ନଥିବାରୁ କିଛି ସ୍ଥାନରେ ଉପଭୋକ୍ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଏବେ ଲୋକଙ୍କୁ ଆଧାରକାର୍ଡକୁ ଅପଡେଟ କରିବାକୁ ପଡୁଛି । ଖାସକରି କେୱାଇସି ସହ ଜଡିତ ପ୍ରକିୟା ପାଇଁ ମୋବାଇଲ ନମ୍ବରକୁ ଓଟିପି ଆସିଥାଏ । ଏଭଳି କ୍ଷେତ୍ରରେ ଆପଣଙ୍କ ଆଧାରକାର୍ଡରେ ଆପଣଙ୍କ ନମ୍ବର ଲିଙ୍କ୍ ରହିଛି କି ନାହିଁ ତାହା କେମିତି ଜାଣିବେ?

ସାଧାରଣତଃ ପୂର୍ବରୁ ଥିବା ଅଧିକାଂଶ ଆଧାରକାର୍ଡରେ ମୋବାଇଲ କିମ୍ବା ଇମେଲ ଲିଙ୍କ୍ ହୋଇନଥିଲା । ଏପରିକି ଯେଉଁ ନମ୍ବର ଲିଙ୍କ୍ ହୋଇଥିଲା ସେ ନମ୍ବର ଉପଭୋକ୍ତା ବ୍ୟବହାର କରୁନଥିବାରୁ ଅନେକ ସମୟରେ ଓଟିପିକୁ ନେଇ ସମସ୍ୟା ଦେଖାଦେଇଥାଏ । ଏଭଳି ସ୍ଥଳେ ଆଧାରକାର୍ଡରେ ଆପଣଙ୍କ ନମ୍ବର ଲିଙ୍କ୍ ରହିଛି କି ନାହିଁ ତାହା କେଉଁ ଉପାୟରେ ଜାଣିପାରିବେ ସେ ଉପରେ ଥରେ ନଜର ପକାନ୍ତୁ ।

ପ୍ରଥମେ ଆଧାରକାର୍ଡର ଅଧିକାରିକ ୱେବସାଇଟ uidai.gov.in ଲଗଇନ କରନ୍ତୁ

ଏହାପରେ ୱେବସାଇଟର ‘My Aadhaar’ ସେକ୍ସନକୁ ଯାଆନ୍ତୁ

ଏଠାରେ ‘Aadhaar Service Section’ରେ ଭେରିଫାଏ ଇମେଲ କିମ୍ବା ମୋବାଇଲ ନମ୍ବରର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ

ଏଠାରେ ଆଧାର ନମ୍ବର ସହ ମୋବାଇଲ ନମ୍ବର କିମ୍ବା ଇମେଲ ଏଣ୍ଟର କରନ୍ତୁ ।

ଏହାପରେ ନିମ୍ନରେ ଦିଆଯାଇଥିବା କ୍ୟାପଚା କୋର୍ଡ ଭରିବା ସହ ‘Send OTP’ ବିକଳ୍ପରେ କ୍ଲିକ୍ କରନ୍ତୁ

ଯଦି ଆପଣଙ୍କ ଦ୍ୱାରା ଦିଆଯାଇଥିବା ମୋବାଇଲ ନମ୍ବର ସଠିକ୍ ଥିବ ତେବେ ଏହି ପ୍ରକ୍ରିୟା ଆଗକୁ ବଢିବ, ନଚେତ୍ ଦିଆଯାଇଥିବା ତଥ୍ୟ ୱେବସାଇଟରେ ଉପଲବ୍ଧ ନାହିଁ ବୋଲି ଆପଣଙ୍କ ପାଖକୁ ମେସେଜ ଆସିବ ।

ଏହିଭଳି ଭାବେ ଜାଣିପାରିବେ ଆଧାରକାର୍ଡ ସହ ଆପଣଙ୍କର ମୋବାଇଲ ନମ୍ବର ଲିଙ୍କ୍ ରହିଛି କି ନାହିଁ । ଯଦି ଆପଣ ୨ଟି ନମ୍ବର ବ୍ୟବହାର କରୁଥିବେ ଓ କେଉଁ ନମ୍ବର ଆଧାରକାର୍ଡ ସହ ଲିଙ୍କ୍ ରହିଛି ତାହା ଜାଣିବାରେ ଦ୍ୱନ୍ଦ୍ୱ ଥିବ ତେବେ ଏହା ଉପାୟରେ ମଧ୍ୟ ସେ ବାବଦରେ ଜାଣିପାରିବେ ଉପଭୋକ୍ତା ।