କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ। ଶିକ୍ଷକ ଅଭାବ ଯୋଗୁଁ ପିଲାଙ୍କ ପାଠପଢ଼ାରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଛି। ବିଶେଷ କରି ହାଇସ୍କୁଲ ଶିକ୍ଷକ ପଦବୀ ଗୁଡିକ ଖାଲି ପଡିଥିବା ଯୋଗୁଁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଆଉ କିଛିମାସ ବାକିଥିବା ବେଳେ ଶିକ୍ଷକ ଅଭାବ ପିଲା ମାନଙ୍କ ଚିନ୍ତା ବଢ଼ାଇ ଦେଇଛି।
ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଜଗତସିଂହପୁର ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। ସରକାରୀ ଓ ବ୍ଲକଗ୍ରାଣ୍ଟ ସ୍କୁଲରେ ସବୁ ବିଷୟ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି। କେଉଁଠି ୨ଜଣ ଶିକ୍ଷକ ଅଛନ୍ତି ତ ଆଉ କେଉଁଠି ସପ୍ତାହକୁ ୩ ଦିନ ଡେପୁଟେସନ ଆସୁଛନ୍ତି ଶିକ୍ଷକ। ଏଭଳି ସ୍ଥିତିରେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି ପିଲାଙ୍କ ଭବିଷ୍ୟତ। ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୪ କିଲୋମିଟର ଦୂରରେ ରହିଛି କୁତାମ ଚଣ୍ଡୀ ବିଦ୍ୟାପୀଠ। ଏହି ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମରେ ୧୨୭ଜଣ ଛାତ୍ରଛାତ୍ରୀ ଅଛନ୍ତି। ହେଲେ, ବିଡ଼ମ୍ବନାର କଥା ବିଦ୍ୟାଳୟଟି ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ କ୍ରୀଡା ଶିକ୍ଷକଙ୍କୁ ନେଇ ଚାଲିଛି। ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଥିବା ଦେଖି କିଛି ଅବସରପ୍ରାପ୍ତ ଶିକ୍ଷକ ସ୍ୱଇଚ୍ଛାରେ ଶିକ୍ଷାଦାନ କରୁଛନ୍ତି।
ଜଗତସିଂହପୁର ଜିଲ୍ଲାରେ ୧୫୦ଟି ସରକାରୀ ଓ ୧୦୩ଟି ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ରହିଛି। ୨୫୩ଟି ହାଇସ୍କୁଲରେ ୫୨ହଜାର ୨୩୩ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୫୨୬ଶିକ୍ଷକ ପଦବୀ ଖାଲି ପଡିଛି।ଆଗକୁ ମାଟ୍ରିକ ପରୀକ୍ଷା ଥିବାରୁ କୋର୍ସ ସାରିବାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି। ସେପଟେ ଏ ସଂପର୍କରେ ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାରେ ୧୬୦ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଠିକା ଭାବେ ନିଯୁକ୍ତି ଦିଆଯିବ। ପରେ ସରକାରୀଙ୍କ ନିର୍ଦ୍ଦେଶ କ୍ରମେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି।