ପଶ୍ଚିମରେ ତାତି ଉପକୂଳରେ ଗୁଳୁଗୁଳି: ଗରମ ଓ ଗୁଳୁଗୁଳିରେ କେମିତି ପଡ଼ିବ ଭୋଟ୍?

50

କନକ ବ୍ୟୁରୋ: ଅସହ୍ୟ ତାତି ଓ ଗ୍ରୀଷ୍ମପ୍ରବାହ ଭିତରେ ଆସନ୍ତାକାଲି ଭୋଟ ପଡିବାକୁ ଯାଉଛି । ରାଜ୍ୟରେ ଅଂଶୁଘାତର ଆତଙ୍କ ଖେଳିଯାଇଥିଲା ବେଳେ କାଲିର ଭୋଟ ପାଇଁ ଗ୍ରୀଷ୍ମ ପ୍ରବାହ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଯାଜପୁରରେ ଇଭିଏମ ଧରି ବୁଥକୁ ଯିବା ବେଳେ ୧୦ ଜଣ ଅଧିକାରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ତେଣୁ ସ୍କୁଲର ବନ୍ଦ କୋଠରୀ ଭିତରେ ମତଦାନ ପରିଚାଳନା କରିବା ଆହ୍ୱାନ ସୃଷ୍ଟି କରିପାରେ ।

ରାତି ପାହିଲେ ପଡ଼ିବ ଭୋଟ୍ । ଆଉ ଭୋଟ୍ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଏହି ଅବସ୍ଥା ଦେଖିଲେ, ନିର୍ବାଚନୀ ପ୍ରକ୍ରିୟା କେତେ ଆହ୍ୱାନପୂର୍ଣ୍ଣ ହେବାକୁ ଯାଉଛି, ତାହା ଜଳଜଳ ଦେଖାଯାଉଛି । ପୁଲିଂ ବୁଥ୍ ଅଭିମୁଖେ ଯାଉଥିବା ଅଧିକାରୀ ଓ କର୍ମଚାରୀ, ବୁଥ୍ରେ ପହଂଚିବା ପୂର୍ବରୁ ହସ୍ପିଟାଲରେ ପହଂଚିଯାଇଛନ୍ତି । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଅସୁସ୍ଥ ହୋଇପଡିବାରୁ ଅତି ସଂକଟପୂର୍ଣ୍ଣ ଅବସ୍ଥାରେ ପହଂଚାଯାଇଛି ।

ଯାଜପୁର ଜିଲ୍ଲାରେ ହେବାକୁଥିବା ମତଦାନ ପାଇଁ ଏନସି କଲେଜରେ ପ୍ରାୟ ୧୨ ହଜାର ପୋଲିଂ କର୍ମଚାରୀ ଏକାଠି ହୋଇଥିଲେ । ଇଭିଏମ୍ ଓ ମତାଦାନ ସାମଗ୍ରୀ ନେଇ ଯାଉଥିବା ବେଳେ ୧୦ ଜଣ ପୋଲିଂ କର୍ମଚାରୀ ଅଚାନକ୍ ଅସୁସ୍ଥ ହୋଇ ପଡିଯାଇଥିଲେ । ଆଉ ସହଯୋଗୀମାନେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଶ୍ଚିମ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଛି । ଆଉ ଗୋଟେ ପଟେ ଭୋଟ୍ ପଡ଼ିବାକୁ ଥିବା ଉପକୂଳ ଓଡ଼ିଶାରେ ଗରମ ସହ ଆର୍ଦ୍ରତା ୮୦ ପ୍ରତିଶତରୁ ଅଧିକ ରହିବା ଆଶଙ୍କା ରହିଛି । ବିଶେଷ କରି ଭୋଟ୍ ପଡ଼ିବାକୁ ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ସମେତ କଟକ, ଗଂଜାମ, ଗଜପତି, ପୁରୀ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ଅସହ୍ୟ ଗରମ ଓ ଗୁଳୁଗୁଳି ଭିତରେ ୬ଟି ଲୋକସଭାରେ ଭୋଟ୍ ପଡ଼ିବାକୁ ଯାଉଛି । ତେଣୁ ଶହ ଶହ ପୁଲିଂ ଅଧିକାରୀ ଓ କର୍ମଚାରୀ ଏବଂ ପ୍ରାୟ ୧ କୋଟି ଭୋଟର୍ଙ୍କୁ ନେଇ ନିର୍ବାଚନ ପରିଚାଳାନା କରିବା ବହୁତ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି । ଏଭଳି ସ୍ଥିତିରେ
– ସ୍କୁଲର ବନ୍ଦ କୋଠରୀ ଭିତରେ ମତଦାନ ପରିଚାଳନା କରିବା ଆହ୍ୱାନ ସୃଷ୍ଟି କରିପାରେ
– କୋଠରୀ ମଧ୍ୟକୁ ବାୟୁ ଚଳାଚଳ ବ୍ୟବସ୍ଥାର ଅବଶ୍ୟକତା ପଡ଼ିପାରେ
– ବିଦ୍ୟୁତ ବିଭ୍ରାଟ ଭଳି ଆଶଙ୍କାକୁ ଏଡ଼ାଇବାକୁ ଉଦ୍ୟମ ନକଲେ ସମସ୍ୟା ସୃଷ୍ଟି ହୋଇପାରେ
– ଗରମ ଓ ଗୁଳୁଗୁଳି ସମ୍ଭାବନା ଥିବାରୁ ଅତ୍ୟଧିକ ଗହଳିକୁ ଏଡ଼ାଇବା ଜରୁରୀ ହୋଇପାରେ