ଏମିତି ଚାଲିଛି ଗାଁ ପିଲାଙ୍କ ପାଠପଢ଼ା ! ୬୯ ପ୍ରତିଶତ ପିଲାଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍, ୩୯ ପ୍ରତିଶତ ପିଲାଙ୍କ ଘରେ ନାହିଁ ଟିଭି । ଅନଲାଇନରେ କେମିତି ପାଠ ପଢ଼ିବେ ପିଲା ?

701

କନକ ବ୍ୟୁରୋ : କୋଭିଡ୍-୧୯ ମହାମାରୀ ଯୋଗୁଁ ବନ୍ଦ ରହିଛି ସ୍କୁଲ । ଫଳରେ ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢ଼ା । କିଛି ମାତ୍ରାରେ ଏହାର ସମାଧାନ ପାଇଁ ମୋବାଇଲ୍ ଦ୍ୱାରା ପାଠ ପଢ଼ାଇବା ପାଇଁ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ନିର୍ଦ୍ଦେଶ ଅନୁଯାୟୀ ସ୍କୁଲ ଗୁଡିକ କ୍ଲାସ ୱାଇଜ୍ ଗ୍ରୁପ କରି ପିଲାମାନଙ୍କୁ ପାଠପଢ଼ାଉଛନ୍ତି । ହେଲେ ମାତ୍ର ୩୧ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଥିବାରୁ ପିଲା କେମିତି ପାଠ ପଢ଼ିବେ ତାକୁ ନେଇ ଉଠିଛି ପ୍ରଶ୍ନ ।

ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍ । କେମିତି ସଫଳ ହେବ ଅନଲାଇନ୍ ପାଠପଢ଼ା ? ଗଣଶିକ୍ଷା ବିଭାଗ ସଂଗ୍ରହ କରିଥିବା ପ୍ରାଥମିକ ତଥ୍ୟ ଅନୁଯାୟୀ ରାଜ୍ୟର ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୩୧.୯୫% ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି । ଅର୍ଥାତ ପ୍ରାୟ ୬୯% ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ । ସେହିପରି ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୪.୯୭% ପିଲା ଶିକ୍ଷା ସଂଯୋଗରେ ଯୋଡି ହୋଇଛନ୍ତି । ଅର୍ଥାତ ଆହୁରି ପ୍ରାୟ ୬୫% ଛାତ୍ରଛାତ୍ରୀ ଏହି ଶିକ୍ଷା ସଂଯୋଗରେ ଯୋଡି ହୋଇନାହାନ୍ତି । ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ମୋବାଇଲ୍ ମାଧ୍ୟମରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ସମ୍ଭବ ନୁହେଁ ।

ଟିଭିରେ ହେବ କ୍ଲାସ । ଦୂର ହେବ କି ପାଠପଢ଼ା ଟେନସନ୍ ? ଆଉ ଏକ ତଥ୍ୟ କହୁଛି ୬୧% ଛାତ୍ରଛାତ୍ରୀଙ୍କ ଘରେ ଟିଭି ରହିଛି । ଏହାକୁ ନଜରରେ ରଖି ଟିଭି ମାଧ୍ୟମରେ ଅଧିକରୁ ଅଧିକ କ୍ଲାସ୍ ଟେଲିକାଷ୍ଟ କରିବାକୁ ଯୋଜନା କରିଛି ବିଭାଗ । ବିଶେଷକରି ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ଲାଗି କ୍ଲାସର ଟେଲିକାଷ୍ଟ କରିବାକୁ ଯୋଜନା କରାଯାଇଛିି । ଏଥିପାଇଁ ଟେଲିକାଷ୍ଟ ସମୟର ପ୍ରଚାର ପ୍ରସାର କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଚିଠି ଲେଖିଛି ।

ଏହି ତଥ୍ୟରୁ ଅନଲାଇନ୍ ପାଠପଢ଼ା ଯୋଜନା କେମିତି ସଫଳ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ପିଲାଙ୍କୁ କିଭଳି ପାଠ ପଢ଼ାଯିବ ତାହା ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି ।