ଅପେକ୍ଷାର ଘଟିଲା ଅନ୍ତ, ସରକାରଙ୍କ ଲିଖିତ ପ୍ରସ୍ତାବକୁ କୃଷକ କଲେ ଖାରଜ । ଏବେ ଦିଲ୍ଲୀରେ ହେବ ଘମାଘୋଟ ଲଢେଇ

320

କନକ ବ୍ୟୁରୋ : ପ୍ରଥମେ ସରକାରଙ୍କ ତରଫରୁ କୃଷକ ମାନଙ୍କ ସହ ହେବାକୁ ଥିବା ବୈଠକ ବାତିଲ କଲେ । ଓ ପରେ ସରକାର ଆଇନରେ କ’ଣ କ’ଣ ସଂଶୋଧନ କରିପାରିବେ ସେନେଇ ପ୍ରସ୍ତାବ ଦେଲେ । ହେଲେ ସରକାରଙ୍କ ପ୍ରସ୍ତାବକୁ ସିଧା ସଳଖ କୃଷକ ସଂଗଠନ ମାନେ ଖାରିଜ୍ କରିଦେଇଛନ୍ତି ।

କୃଷକ ମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି । ନୂତନ କୃଷି ଆଇନ ସଂପର୍କରେ ଆଜି କେନ୍ଦ୍ରସରକାରଙ୍କ ପକ୍ଷରୁ କୃଷକ ନେତା ମାନଙ୍କ ନିକଟକୁ ଆଇନରେ ସଂଶୋଧନ ନିମନ୍ତେ ପଠାଯାଇଥିବା ୫ ଟି ପ୍ରସ୍ତାବକୁ ଖାରିଜ କରିଛନ୍ତି । ଏହାସହ କେନ୍ଦ୍ର ସରକାର ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ କୃଷକ ମାନେ ଅଟଳ ରହିଛନ୍ତି । ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସରକାରଙ୍କୁ ଚରମବାଣୀ ଶୁଣାଇ ଦେଇଛନ୍ତି ।

ସରକାରଙ୍କ ପକ୍ଷରୁ କୃଷକ ମାନଙ୍କୁ ଦିଆଯାଇଥିବା ୫ ଟି ପ୍ରସ୍ତାବ ମଧ୍ୟରେ (୧) ଏମଏସପିରେ କୌଣସି ପରିବର୍ତ୍ତନ ହେବ ନାହିଁ, ପୂର୍ବଭଳି ଏମଏସପି ଜାରି ରହିବ, (୨) ଏପିଏମସିକୁ ବା ମଣ୍ଡି ବ୍ୟବସ୍ଥା ଚାଲୁ ରହିବ ଓ ପୂର୍ବ ଠାରୁ ଏହି ମଣ୍ଡି ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ, (୩) ଶଷ୍ୟ କିଣିବାକୁ ଚାହୁଁଥିବା ଘରୋଇ କମ୍ପାନୀ ମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ, (୪) ଚୁକ୍ତି ଭିତ୍ତିକ ଚାଷ ବେଳେ କୌଣସି ଅସୁବିଧା ଦେଖାଦେଲେ ଚାଷୀ କୋର୍ଟକୁ ଯାଇପାରିବ ଏହାସହ ଚୁକ୍ତି ଭିତ୍ତିକ ଚାଷକୁ ନେଇ ଉପୁଜୁଥିବା ବିବାଦର ସମାଧାନ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯିବ, (୫) ଘରୋଇ ଭାବେ ଶଷ୍ୟ କିଣୁଥିବା କମ୍ପାନୀ ମାନଙ୍କ ଠାରୁ ଟିକସ୍ ଆଦାୟ କରାଯିବ । କୃଷକମାନଙ୍କର ‘ଭାରତ ବନ୍ଦ’ ଡାକରା ପରେ କେନ୍ଦ୍ର ସରକାର ଓ କୃଷକ ନେତାମାନଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ସରକାର କୃଷି ଆଇନ ଉଚ୍ଛେଦ ସପକ୍ଷରେ ନ ଥିବା ସ୍ପଷ୍ଟ କରିବା ସହ ଆଇନରେ ସଂଶୋଧନ ଲାଗି ଲିଖିତ ପ୍ରସ୍ତାବ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଏହି ପ୍ରସ୍ତାବଗୁଡ଼ିକ କୃଷକନେତାମାନଙ୍କ ନିକଟକୁ ପଠାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଦେଶରେ କୃଷକମାନଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଥିବା ବେଳେ ଗତକାଲି (ମଙ୍ଗଳବାର) ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କୃଷକ ନେତାଙ୍କ ଆଲୋଚନା ଅନୁସାରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିବାଦୀୟ କୃଷି ଆଇନରେ ସଂଶୋଧନ ପାଇଁ ପାଞ୍ଚଟି ପ୍ରସ୍ତାବ ଆଜି ଆନ୍ଦୋଳନରତ କୃଷକ ନେତାମାନଙ୍କ ନିକଟକୁ ପଠାଇଥିଲେ।
ହେଲେ ସରକାରଙ୍କ ଏହି ପ୍ରସ୍ତାବକୁ କୃଷକ ମାନେ ଖାରଜ କରିଛନ୍ତି । ସେମାନେ ଏବେ ଆନ୍ଦୋଳନକୁ ଜୋରଦାର କରିବା ସହ ଉତ୍ତରପ୍ରଦେଶରୁ ଦିଲ୍ଲୀ ସଂଯୋଗ କରୁଥିବା ୮ ନମ୍ବର ରାଜପଥକୁ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।