କୋଟିଆରେ କେମିତି ହେବ ନିର୍ବାଚନ ? କିଏ ହେବ ପ୍ରାର୍ଥୀ ? ଇଲେକ୍ସନ ହେବ ନା ସିଲେକ୍ସନ୍, ବଢିଲା ଦ୍ୱନ୍ଦ୍ୱ ।

83

କନକ ବ୍ୟୁରୋ : କୋରାପୁଟ କୋଟିଆରେ ଜିଲ୍ଲା ପରିଷଦ ଆସନ ପାଇଁ ଇଲେକ୍ସନ ହେବ ନା ସିଲେକ୍ସନ । କାରଣ ସର୍ବଦଳୀୟ କମିଟି ଯେଉଁ ପ୍ରାର୍ଥୀଙ୍କୁ ମନୋନୟନ କରିଥିଲା ଗତକାଲି ସେ ନାମାଙ୍କନ ଦାଖଲ କରିଛନ୍ତି । ନିଷ୍ପତି ଅନୁସାରେ ଆଉ କେହି ପ୍ରତିଯୋଗୀ ମଇଦାନକୁ ଓହ୍ଲାଇବା କଥା ନୁହଁ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ କାଲି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ଆଉ ଦୁଇ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଯାହାକୁ ନେଇ ପୁଣି ରାଜନୀତି ଜୋର ଧରିଛି ।

ପଞ୍ଚାୟତ ନିର୍ବାଚନକୁୁ ନେଇ ଗାଁ ରାଜନୀତି ବେଶ ସରଗରମ ହୋଇଥିବା ବେଳେ ବିବାଦୀୟ କୋଟିଆ ଉପରେ ରହିଛି ସମସ୍ତଙ୍କ ନଜର । କୋଟିଆରେ କେମିତି ହେବ ନିର୍ବଚାନ ? କିଏ ହେବ ପ୍ରାର୍ଥୀ ? କ’ଣ ହେବ କୋଟିଆ ଭାଗ୍ୟ ? ଏମିତି ଚର୍ଚ୍ଚା ଭିତରେ ପ୍ରାର୍ଥୀ ଚୟନ କରିଛନ୍ତି ସର୍ବଦଳୀୟ ନେତା । କିନ୍ତୁ ଏଇଠି କଥା ସରିନି, ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । କୋରାପୁଟ ବୈଠକରେ ସର୍ବଦଳୀୟ ନେତାଙ୍କ ସହମତିରେ ଜିଲ୍ଲା ପରିଷଦ ପ୍ରାର୍ଥୀ ମମତା ଜାନୀ ନାମାଙ୍କନ ଭରିଥିବା ବେଳେ ଆଉ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଯାହା ସର୍ବଦଳୀୟ ନେତାଙ୍କୁ ଅଡୁଆରେ ପକାଇ ଦେଇଛି ।

କୋଟିଆକୁ ନେଇ ବିବାଦ ଭିତରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରି ନିଜର କରିବାକୁ ଚେଷ୍ଟା ଚଳାଇଛି । ଆନ୍ଧ୍ରକୁ ଚେକ୍ ଦେବା ପାଇଁ କୋରାପୁଟର ସ୍ଥାନୀୟ ନେତାଙ୍କ ସର୍ବସମ୍ମତିରେ ଚୟନ ହୋଇଥିବା ପ୍ରାର୍ଥୀ ନାମାଙ୍କନ କରିଛନ୍ତି । କିନ୍ତୁ ଅନ୍ୟ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଗୋଳିଆ ହୋଇଛି କୋଟିଆ ରାଜନୀତି । ତେବେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବେ ବୋଲି ସର୍ବଦଳୀୟ ନେତା କହୁଛନ୍ତି । ଏପଟେ ବିଜେପିର କିଛି ନେତା ଏହାକୁ ବିରୋଧ କରିଛନ୍ତି ।

କୋଟିଆ ପଞ୍ଚାୟତରେ ୧୩ଟି ୱାର୍ଡ଼ମେମ୍ବର ପଦ ରହିଥିବା ବେଳେ ପଟାଙ୍ଗୀ ବ୍ଳକର ଜୋନ-୧ରେ ରହିଛି କୋଟିଆ ଜିଲ୍ଳା ପରିଷଦ ଆସନ । ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ କୋଟିଆ ଭାଗ୍ୟ କ’ଣ ହେବ, ତାହା ଆସନ୍ତା ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସିବା ପରେ ଜଣାପଡିବ ।