କେମିତି ବଂଟା ହେବ କରୋନା ଟିକା? ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର । ଟିକା ବଂଟନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ । ମୁଖ୍ୟଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହେବ ତ୍ରିସ୍ତରୀୟ କମିଟି 

200

କନକ ବ୍ୟୁରୋ : କରୋନା ମହାମାରୀ ରୋକିବାକୁ ଟିକା ପ୍ରସ୍ତୁତି ବିଭିନ୍ନ ପର୍ଯ୍ୟାୟରେ ପହଁଚିଥିବା ବେଳେ କିପରି ବଂଟନ ହେବ, କେଉଁମାନଙ୍କୁ ପ୍ରଥମେ ଟିକା ଦିଆଯିବ, ଏ ନେଇ ରାଜ୍ୟଗୁଡିକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ର୍ୟ ସଚିବ । ଟିକା ବଂଟନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରିବାକୁ କୁହାଯାଇଛି । ଟିକା ବଣ୍ଟନ ପାଇଁ ଗଠନ ହେବ ତ୍ରିସ୍ତରୀୟ କମିଟି । ଏହି କମିଟି ଗୁଡିକର ଅଧ୍ୟକ୍ଷ ରହିବେ ମୁଖ୍ୟଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳ ।

ସେହିପରି ରାଜ୍ୟ ଟାସ୍କଫୋର୍ସ କମିଟିର ଅଧ୍ୟକ୍ଷତା କରିବେ ସ୍ୱାସ୍ଥ୍ୟ ସଚିବ । ଏବେ କମିଟି ଟିକାକରଣ ପାଇଁ ଡାଟାବେସ୍ ପ୍ରସ୍ତୁତିର ଅଗ୍ରଗତି ତଦାରଖ କରିବ । ଟିକାକରଣ ବେଳେ ଯେପରି ବାଧା ସୃଷ୍ଟି ନହେବ ତଦାରଖ କରିବ । ଟିକାକରଣରେ ସ୍ୱେଚ୍ଛାସେବୀଙ୍କୁ ସାମିଲ କରାଯିବ । ପାଣ୍ଠିର ବ୍ୟବସ୍ଥା ଓ ସମୀକ୍ଷା କରିବ କମିଟି

ସେହିପରି ଜିଲ୍ଲା ଟାସ୍କଫୋର୍ସ କମିଟିର ଅଧ୍ୟକ୍ଷତା କରିବେ ଜିଲ୍ଲାପାଳ । ଟିକାକରଣ କାର୍ଯ୍ୟର ତଦାରଖ ଓ ସମସ୍ୟାର ସମାଧାନ କରିବ ଏହି କମିଟି । ଟିକାକରଣ ପାଇଁ ତାଲିମ ଦେବା ସହ ବ୍ଳକ ଓ ଜିଲ୍ଲାସ୍ତରରେ ଅଧିକାରୀ ନିଯୁକ୍ତ କରିବ । ସମୟ ସୀମା ଭିତରେ ଟିକାକରଣ ପାଇଁ ବ୍ୟବସ୍ଥା କରିବ କମିଟି । ସୋସିଆଲ ମିଡିଆ ଗୁଜବକୁ ଚିହ୍ନଟ କରି ଲୋକଙ୍କୁ ସଚେତନ କରିବ

ସାରା ବିଶ୍ୱରେ ପ୍ରାୟ ୨୫୦ ଟିକା ପ୍ରସ୍ତୁତି ବିଭିନ୍ନ ପର୍ଯ୍ୟାୟରେ ପହଁଚିଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ପୌର କର୍ମଚାରୀ, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ଟିକାକରଣ କରାଯିବ । ବରିଷ୍ଠ ନାଗରିକଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସାମିଲ କରାଯିବ । ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁ୍ଖ କରୋନା ଯୋଦ୍ଧାଙ୍କ ଡାଟା ବେସ୍ ପ୍ରସ୍ତୁତ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ଏବେ ଅପେକ୍ଷା, କେବେ ଆସିବ କରୋନା ଟିକା ।