କନକ ବ୍ୟୁରୋ: ଥାନାରେ ଅଟକ ରହୁଥିବା ଅଭିଯୁକ୍ତଙ୍କ ପାଇଁ ଦୈନିକ ଖାଇବା ବାବଦରେ ମାତ୍ର ୩୦ ଟଙ୍କା ଦେଉଛି ପୋଲିସ ବିଭାଗ । ସରକାର ଦେଉଥିବା ଏହି ଟଙ୍କାକୁ ‘ବାଟା’ ବୋଲି କୁହାଯାଏ । ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିର ଦିନକୁ ୪ଓଳି ଖାଇବା ଖର୍ଚ୍ଚ ଏହି ୩୦ ଟଙ୍କାରେ କିଭଳି ସମ୍ଭବ ହେବ, ଏହାକୁ ନେଇ ଉଭୟ ଅଭିଯୁକ୍ତ ଏବଂ ଥାନାର କର୍ମଚାରୀଙ୍କୁ ହଟହଟା ହେବାକୁ ପଡୁଛି । ଗୋଟେପଟେ ଖାଦ୍ୟରେ ଅଭିଯୁକ୍ତଙ୍କ ପେଟ ପୁରୁନି । ଅନ୍ୟପଟେ ନିର୍ଦ୍ଧାରିତ ଟଙ୍କାରେ କିଭଳି ଖାଦ୍ୟ ଯୋଗାଇବେ ତାହା ଥାନା କର୍ତ୍ତୃପକ୍ଷ ଚିନ୍ତା ବଢାଇଛି । ଏଭଳି ସ୍ଥିତିରେ ପୋଲିସ ବାବୁ ପକେଟରୁ ଟଙ୍କା ଖର୍ଚ୍ଚ କରୁଛନ୍ତିି । ୨୦୧୫ରେ ପୋଲିସ ବିଭାଗକୁ ଖାଇବା ଖର୍ଚ୍ଚ ବାବଦ ସର୍କୁଲାର ଜାରି ହୋଇଥିବାବେଳେ ସେଥିରେ କେବେ ପରିବର୍ତ୍ତନ ହେବ ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

Advertisment

ଓଡିଶାରେ ବ୍ରିଟିଶ୍ ଶାସନ ସମୟରେ ପୋଲିସ ବ୍ୟବସ୍ଥା ଆରମ୍ଭ ହୋଇଥିଲା । କୁହାଯାଏ ୧୮୬୧ମସିହାରୁ ଅଭିଯୁକ୍ତଙ୍କୁ ଥାନାରେ ଖାଇବା ବାବଦ ଖର୍ଚ୍ଚ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ସେ ସମୟରେ ଥାନାରେ ଅଭିଯୁକ୍ତଙ୍କୁ ମୁଢି, ଚୁଡା କିିଣି ଖାଇବାକୁ ଦିଆଯାଉଥିଲା । ଆରମ୍ଭରୁ କଏଦୀଙ୍କୁ କେତେ ଟଙ୍କା ମିଳୁଥିଲା ସେ ନେଇ ଯଦିଓ ସ୍ପଷ୍ଟ ତଥ୍ୟ ନାହିଁ । କିନ୍ତୁ ୧୯୬୭ ବେଳକୁ ଜଣେ କଏଦୀ ପିଛା ଦିନକୁ ବାର ଅଣା ମିଳୁଥିଲା ।

ସେ ସମୟରେ ସବଡିଭିଜନ୍ ମୁଖ୍ୟ ଥିବା ଏସଡିଓ ଏହି ଟଙ୍କା ଥାନା ବାବୁଙ୍କୁ ଦିଅନ୍ତି । ୧୯୬୭-୬୮ ମସିହାରେ ପୋଲିସ ବିଭାଗର ମୁଖ୍ୟ ଆଇଜିଙ୍କ ହାତକୁ ଏହି ଟଙ୍କା ବଣ୍ଟା କ୍ଷମତା ଚାଲିଯିବା ପରେ ଡିଜି ଏହାର ଦାୟିତ୍ୱରେ ରହିଲେ ।