କନକ ବ୍ୟୁରୋ: ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିକୁ ପାଇଁ ବିଜେପି କେନ୍ଦ୍ରୀୟ ସ୍ତରରେ କସରତ ଆରମ୍ଭ କରିବା ସହ ଏଥିରେ ଟିଡିପି ଓ ଜେଡିୟୁର ଭୂମିକା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକସଭା ନିର୍ବାଚନରେ ଏକାକୀ ସଂଖ୍ୟା ଗରିଷ୍ଠତା ପାଇନଥିବା ବିଜେପି ଏବେ ଦୁଇ ଦଳର ଦାବି ମାନି ମନ୍ତ୍ରୀମଣ୍ଡଳ ଗଠନ କରିବ ।

Advertisment

ଆନ୍ଧ୍ରପ୍ରଦେଶରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଆଶାନୁରୂପକ ସଫଳତା ପାଇଥିବା ତେଲେଗୁ ଦେଶମ ପାର୍ଟି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ଏବେ ପ୍ରତିଶୋଧ ନେବାର ସମୟ । ନିର୍ବାଚନର ୨ମାସ ପୂର୍ବରୁ ୟାଇଏସଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀଙ୍କ ଦ୍ୱାରା ଗିରଫ ହୋଇଥିଲେ ଚନ୍ଦ୍ରବାବୁ । ସେତେବେଳେ ଜଗନମୋହନ ନା ଚନ୍ଦ୍ରବାବୁଙ୍କ ମଧ୍ୟରୁ କାହାସହିତ ମେଂଟ କରିବାକୁ ସ୍ଥିର କରିନଥିବା ବିଜେପି ଗିରଫଦାରୀ ଉପରେ ଚୁପ ରହିଥିଲା । ଏବେ ଏନଡିଏକୁ ସମର୍ଥନ ଦେବାର ସମୟ । ଏହି ସମୟରେ ଚନ୍ଦ୍ରବାବୁ ତାଙ୍କ ଦଳ ଓ ଆନ୍ଧ୍ର ପାଇଁ ଭଲ ପ୍ୟାକେଜ ଉପରେ ଗୁରୁତ୍ୱ ଦେଉଛନ୍ତି । ଏଥିମଧ୍ୟରେ ଆନ୍ଧ୍ରପ୍ରଦେଶରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଓ ଲୋକସଭାର ବାଚସ୍ପତି ପଦ ପ୍ରାଧାନ୍ୟ ରହିପାରେ ।ସେହିଭଳି ଗତ ଜାନୁୟାରୀରେ ପଟ ବଦଳାଇଥିବା ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଦଳ ପାଇଁ ଅଧିକ ମନ୍ତ୍ରୀପଦ ପାଇବାକୁ ଲକ୍ଷ୍ୟ ରଖିଛନ୍ତି । ତାଛଡା ବିହାର ପାଇଁ ସ୍ପେଶାଲ ଆର୍ଥିକ ପ୍ୟକେଜ ଦାବି ଉଠାଇପାରନ୍ତି । ଲୋକସଭା ନିର୍ବାଚନରେ ୧୬ରୁ ୧୨ଟି ଆସନ ଜିତିଥିବା ଜେଡିୟୁ ବିହାରରେ ଶିଘ୍ର ବିଧାନସଭା ନିର୍ବାଚନ ପାଇଁ ଦାବି କରିବା ସମ୍ଭାବନା ରହିଛି ।

ଗତ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ଯଥାକ୍ରମେ ୨୮୨ ଓ ୩୦୨ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲା । ପରବର୍ତୀ ସମୟରେ ଏନଡିଏ ସରକାର ଗଠନ ହୋଇଥିଲେ ମଧ୍ୟ ବିଜେପି ସହଯୋଗୀ ଦଳମାନଙ୍କୁ ଏତେ ଗୁରୁତ୍ୱ ଦେଇନଥିଲା । ଏବେ ପରିସ୍ଥିତି ଅଲଗା । ଜେଡିୟୁ ଓ ଟିଡିପିର ସମର୍ଥନ ବିନା ମୋଦୀଙ୍କ ତୃତୀୟ ପାଳି ଅସମ୍ଭବ ମନେ ହୁଏା ଯାହା ଉଭୟ ମୋଦୀ ଓ ବିଜେପି ବୁଝିସାରିଛନ୍ତି । ଯାହାର ପ୍ରତିଫଳ ପ୍ରଥମ ଏନଡିଏ ବୈଠକରୁ ଜଣାପଡିଛି । ୨୦୧୪ ପରଠୁ ପ୍ରତ୍ୟେକ ନିର୍ବାଚନ ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ପରିଧାନରେ ଗେରୁଆକୁ ପ୍ରାଧାନ୍ୟ ଦେଉଥିଲେ ମାତ୍ର ଏଥରକ ସବୁଜ ରଙ୍ଗ ଜ୍ୟାକେଟ ପିନ୍ଧିଥିଲେ । ଏହାର ଅର୍ଥ ମିତ୍ର ଦଳର ସହ ଭଲ ସମ୍ପର୍କ ଓ ନିଜ ଦଳର ଏଜେଣ୍ଡାକୁ ପଛରେ ରଖିବା ।