କନକ ବ୍ୟୁରୋ: ଦିଲ୍ଲୀରୁ ମୋଦି ମନ୍ତ୍ର ନେଇ ଫେରିଲେ ବିଜେପି ନେତା । ୨ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ମୋଦି ଦେଇଛନ୍ତି ୧୦୦ ଦିନର ଟାର୍ଗେଟ । ଲାଭାର୍ଥୀ ମାନଙ୍କ ସହ ସମ୍ପର୍କରେ ରହିବା ସହ ମୋଦିଙ୍କ ବାର୍ତ୍ତା ପହଞ୍ଚାଇବେ କର୍ମକର୍ତ୍ତା । ୧୦ ବର୍ଷରେ ମୋଦି ସରକାର ଲୋକଙ୍କ ପାଇଁ କରିଥିବା କାମ ଗୁଡ଼ିକର ଦେବେ ହିସାବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର, ଜଳ ଜୀବନ ମିଶନରେ ଘରେ ଘରେ ସ୍ଵଚ୍ଛ ପାନୀୟ ଜଳ ଭଳି ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସବୁ ଯୋଜନା ବାବଦରେ ମୋଦିଙ୍କ ପ୍ରଣାମ ଲୋକଙ୍କ ପାଖରେ ପହଞ୍ଚିବ ବିଜେପି । ରାମ ମନ୍ଦିର ନିର୍ମାଣ, ଗରିବ କଲ୍ୟାଣ ଯୋଜନା, ୩୭୦ ଧାରା ଉଚ୍ଛେଦ, ୩ ତଲାକ୍ ଉଚ୍ଛେଦ, ସିଏଏ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ମୋଦି ସରକାର । ଏହା ମଧ୍ୟ ଲୋକଙ୍କୁ ଜଣାଇବ ଦଳ । ବୁଥ ଚାଲ ଅଭିଯାନ, ଗାଁ ଚାଲ ଅଭିଯାନ ଭଳି କାର୍ୟ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖକୁ ଯିବ ବିଜେପି । ଏନଡିଏ ମେଣ୍ଟ ୪୦୦ ପାର୍ କରିବା ସହ ବିଜେପି ଏକାକୀ ୩୭୦ ଲୋକସଭା ସିଟ ଜିତିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି । ସବୁ ରାଜ୍ୟରେ ଅଲଗା ଅଲଗା ରାଜନୈତିକ ପରିସ୍ଥିତି ଅଛି । ତେଣୁ ସେଥିପାଇଁ ପ୍ରତି ରାଜ୍ୟ ପାଇଁ ସ୍ବତନ୍ତ୍ର ପ୍ଲାନ ହେବ । ରାଜ୍ୟରେ ମଧ୍ୟ ଡବଲ ଇଞ୍ଜିନ ସରକାର ହେବ । କେନ୍ଦ୍ରୀୟ ନେତୃତ୍ବ ମାନେ ଓଡ଼ିଶା ଗସ୍ତରେ ଆସିବେ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨୨ ତାରିଖରେ ୩ଟି କ୍ଲଷ୍ଟରକୁ ଆସିବେ । ବ୍ରହ୍ମପୁର, ନବରଙ୍ଗପୁର ଏବଂ ମୟୂରଭଞ୍ଜକୁ ନେଇ ଗଠିତ ହୋଇଛି ୩ କ୍ଲଷ୍ଟର ।