କନକ ବ୍ୟୁରୋ: ଦିଲ୍ଲୀରେ ଶରଦ ପାୱାରଙ୍କ ଘରେ ବୈଠକ । ଇଣ୍ଡିଆ ମେଂଟର ସମନ୍ୱୟ କମିଟି ବୈଠକରେ ଆସନ ବୁଝାମଣା ପାଇଁ ପ୍ରୟାସ ଆରମ୍ଭ ହୋଇଛି । କମିଟି ଗଠନ ହେବା ପରେ ପ୍ରଥମଥର ପାଇଁ ବୈଠକ ବସିଛି । ବିଭିନ୍ନ କାରଣରୁ କମିଟିର ୧୪ ଜଣ ସଦସ୍ୟଙ୍କ ମଧ୍ୟରୁ ହେମନ୍ତ ସୋରେନ୍, ଅଭିଷେକ ବାନାର୍ଜୀ ଓ ଡି. ରାଜା ଯୋଗ ଦେଇନଥିବା ଜଣାପଡିଛି । ସେପ୍ଟେମ୍ବର ୧ ତାରିଖରେ ମୁମ୍ବାଇ ବୈଠକରେ ସମନ୍ୱୟ କମିଟି ବୈଠକ ପାଇଁ ନିଷ୍ପତି ହୋଇଥିଲା । ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଇଣ୍ଡିଆ ମେଂଟ ସହମତିରେ ପ୍ରାର୍ଥୀ ଦେବାକୁ ସଂକଳ୍ପ ପାରିତ କରିଥିଲେ । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଆଖିରେ ରଖି ଆସନ ବୁଝାମଣା ପାଇଁ ମେଂଟ ସହଯୋଗୀ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ମତ ଦେଇଥିଲେ । ହେଲେ ବିଭିନ୍ନ ରାଜ୍ୟରେ କିଭଳି ଏହି ଆସନ ବୁଝାମଣା ହେବ ତାକୁ ନେଇ ଦ୍ୱନ୍ଦ୍ୱ ରହିଛି । ବିଶେଷ କରି ପଶ୍ଚିମବଙ୍ଗ, କେରଳ, ଦିଲ୍ଲୀ, ହରିଆଣା, ପଞ୍ଜାବ, ବିହାର, ଉତର ପ୍ରଦେଶ, ମହାରାଷ୍ଟ୍ରରେ ଆଂଚଳିକ ଦଳର ମନ ମିଶିବା ନେଇ ସନ୍ଦେହ ରହିଛି ।

Advertisment

କେଜ୍ରିୱାଲ... ପଞ୍ଜାବରେ ଏକାକୀ ଲଢିବା ନେଇ ଆମ ଆଦ୍ମୀ ପାର୍ଟି ଘୋଷଣା କରିବାର ସପ୍ତାହକ ପରେ ହରିଆଣା କଂଗ୍ରେସର ବଡ଼ ଘୋଷଣା । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା କହିଛନ୍ତି- ହରିଆଣାରେ କଂଗ୍ରେସ ଏକାକୀ ଲଢିବାକୁ ସମର୍ଥ । ୨୦୨୪ ଲୋକସଭା ନିର୍ବାଚନରେ ହରିଆଣାରେ କଂଗ୍ରେସ ସମସ୍ତ ୧୦ ଲୋକସଭା ଆସନରେ ପ୍ରାର୍ଥୀ ଦେବ । ନିକଟରେ ଆଦମପୁର ବିଧାନସଭା ଉପନିର୍ବାଚନରେ ଆପ୍ ପ୍ରାର୍ଥୀ ପରାଜିତ ହୋଇଥିବାରୁ ରାଜ୍ୟରେ ଆସନ ବୁଝାମଣା ନେଇ ଅମଙ୍ଗ ହେଉଛନ୍ତି କଂଗ୍ରେସ ନେତା । ପୂର୍ବରୁ ଆମ ଆଦମୀ ପାର୍ଟି ମଧ୍ୟ ସମାନଧରଣର ବୟାନ ଦେଇଥିଲା । ସେପ୍ଟେମ୍ବର ୬ ତାରିଖରେ ପଞ୍ଜାବ ମନ୍ତ୍ରୀ ଅନମୋଲ ଗଗନ ମାନ୍ କହିଥିଲେ- ପଞ୍ଜାବରେ କଂଗ୍ରେସ ସହ କୌଣସି ଆସନ ଭାଗବଂଟା କରିବ ନାହିଁ ଆମ୍ ଆଦ୍ମୀ ପାର୍ଟି । ୨୦୨୪ ଲୋକସଭା ନିର୍ବାଚନରେ ଆପ୍ ଏକାକୀ ଲଢ଼େଇ କରିବ ।

ସେପ୍ଟେମ୍ବର ୧ ତାରିଖରେ ଇଣ୍ଡିଆ ମେଂଟର ମୁମ୍ବାଇ ବୈଠକରେ ନିଷ୍ପତି ହୋଇଥିଲା ଯେ, ୨୦୨୪ ଲୋକସଭା ନିର୍ବାଚନରେ ସହମତିରେ ପ୍ରାର୍ଥୀ ଦେବାକୁ ଯଥାସମ୍ଭବ ଚେଷ୍ଟା କରାଯିବ । ମୋଦୀଙ୍କୁ ଅଟକାଇବା ପାଇଁ ମେଂଟ ସହଯୋଗୀମାନେ ନିଜ ମହତ୍ୱକାଂକ୍ଷାକୁ ଭୁଲି ମେଂଟ ସ୍ୱାର୍ଥକୁ ଗୁରୁତ୍ୱ ଦେବେ ।

ମମତା ବାନାର୍ଜୀ... ବିରୋଧୀ ଦଳ ନିଜ ନିଜ ମହତ୍ୱାକାଂକ୍ଷାକୁ ଭୁଲି ମେଂଟ ସ୍ୱାର୍ଥକୁ ଗୁରୁତ୍ୱ ଦେବେ । ହେଲେ ପଶ୍ଚିମବଙ୍ଗରେ ଏହା ସମ୍ଭବ ହେବ ନାହିଁ ବୋଲି ଆଶଙ୍କା କରାଯାଉଛି । କାରଣ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବାମଦଳ ସହ କୌଣସି ବୁଝାମଣା କରିବା ସପକ୍ଷରେ ନାହାନ୍ତି । ଅଧୀରରଞ୍ଜନ ଚୌଧୁରୀ... କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ବାରମ୍ବାର ମମତା ବିରୋଧୀ ବୟାନବାଜି ଜାରି ରଖିଛନ୍ତି । ଯେଉଁଥିପାଇଁ ଉପନିର୍ବାଚନରେ ଇଣ୍ଡିଆ ମେଂଟର ସହଯୋଗୀଙ୍କ ମଧ୍ୟରେ ବୁଝାମଣା ହୋଇପାରିଲା ନାହିଁ । ଏଠାରେ ବାମଦଳ ଓ କଂଗ୍ରେସ ଏକାଠି ହେଲେ ମଧ୍ୟ ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ବିରୋଧରେ ଲଢେଇ କରି ସଫଳତା ପାଇବା ସମ୍ଭବ ହେବନାହିଁ । ୨୦୧୯ ଲୋକସଭା ନିର୍ବାଚନରେ ମୋଟ୍ ୪୨ ଆସନରୁ ଏକାକୀ ୨୨ଟି ସିଟ୍ ହାତେଇଥିଲା ତୃଣମୂଳ କଂଗ୍ରେସ । ବିଜେପିକୁ ୧୮ ଓ କଂଗ୍ରେସକୁ ୨ଟି ଆସନ ମିଳିଥିଲା ।

ପନିରାୟି ବିଜୟନ୍... କେରଳରେ ମଧ୍ୟ ପରସ୍ପର ବିରୋଧରେ ବିଷୋଦଗାର କରୁଛନ୍ତି କଂଗ୍ରେସ ଓ ବାମଦଳ । ଏଠାରେ ପି.ବିଜୟନଙ୍କ ସରକାରକୁ ଜୋରଦାର ଆକ୍ରମଣ କରୁଛି କଂଗ୍ରେସ । ଦରଦାମକୁ ବାମ ସରକାର ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବାରୁ ରାଜ୍ୟ ଋଣ ଭାରରେ ବୁଡିଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ସେପଟେ ସମ୍ବେଦନଶୀଳ ପ୍ରସଙ୍ଗରେ କଂଗ୍ରେସ ନ୍ୟୁନ ରାଜନୀତି କରୁଥିବା ପାଲଟା ଅଭିଯୋଗ କରିଛି ବାମଦଳ । ଏପରିକି କେନ୍ଦ୍ର ବିରୋଧରେ ଶାଣୀତ ଆକ୍ରମଣ କରିବାରେ ରାହୁଲ ଗାନ୍ଧୀ ବିଫଳ ହେଉଥିବା ଦଳ ଅଭିଯୋଗ କରିଛି । ଯାହାକୁ ନେଇ ୨୦୨୪ରେ କଂଗ୍ରେସ ଓ ବାମଦଳ କୌଣସି ଆସନ ବୁଝାମଣା କରିପାରିବା ନେଇ ସନ୍ଦେହ ଉପୁଜିଛି ।

କୁହାଯାଉଛି ସମାନ ପରିସ୍ଥିତି ବିହାର, ଉତର ପ୍ରଦେଶ, ମହାରାଷ୍ଟ୍ର ଓ ଦିଲ୍ଲୀରେ ମଧ୍ୟ ଉପୁଜିପାରେ । ପରସ୍ପର ବିରୋଧୀ ରାଜନୈତିକ ଦଳ ନିଜ ସ୍ୱାର୍ଥକୁ ଭୁଲି ଆସନ ବୁଝାମଣା ଲାଗି ସହମତ ହୋଇପାରିବେ ବୋଲି ସନ୍ଦେହ ରହିଛି ।