କନକ ବ୍ୟୁରୋ : ଅଗଷ୍ଟ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ଅନଲକ-୩ ଆରମ୍ଭ ହେଉଥିବା ବେଳେ ରାଜ୍ୟ ସରକାର ଆଗକୁ କେଉଁ ନୀତି ଅନୁସରଣ କରିବେ ଏବେ ତା ଉପରେ ସମସ୍ତଙ୍କ ନଜର । ରାଜ୍ୟ ସରକାରଙ୍କ ଠାରୁ ଲୋକ କଣ ଆଶା କରନ୍ତି ସେନେଇ ଆମ କ୍ୟାମେରା ଟିମ ଯେତେବେଳେ ପ୍ରଶ୍ନ କରିଥିଲେ, ଲୋକଙ୍କ କହିବା କଥା ଥିଲା, ତାଲା ଖୋଲିଦିଅ, ଆମେ ନିୟମ ମାନିବୁ । କାରଣ ଲକଡାଉନର ପ୍ରଭାବ ତାଙ୍କର ଜୀବିକା ଉପରେ ବଡଧରଣର ପ୍ରହାର କରିଛି । କେନ୍ଦ୍ର ସରକାରଙ୍କ ଅନଲକ୍-୩ ମାର୍ଗଦର୍ଶିକା ଜାରି କରିବା ପରେ ରାଜ୍ୟ ସରକାର କି ନିଷ୍ପତି ନେବେ, କଟକଣା କୋହଳ କରିବେ କି ପୂର୍ବଭଳି ଜାରି ରହିବ, ଏହା ଉପରେ ରହିଛି ସମସ୍ତଙ୍କ ନଜର ।
ହଟିବ କି ରାତି କର୍ଫ୍ୟୁ? କେନ୍ଦ୍ର ଭଳି କଟକଣା ହଟାଇବେ କି ରାଜ୍ୟ ସରକାର? ଅନଲକ୍-୩ରେ ରାତି କର୍ଫୁକୁ କେନ୍ଦ୍ର ସରକାର ହଟାଇ ଦେଇଛନ୍ତି । ଅର୍ଥାତ୍ ପୂର୍ବଭଳି ରାତିରେ ଯାତାୟତ ଓ ଦୋକାନ ବଜାର ଖୋଲିବା ଉପରେ ଆଉ ପ୍ରତିବନ୍ଧକ ରହିବ ନାହିଁ । ତେବେ କେନ୍ଦ୍ର ସରକାରଙ୍କ ପଥ ଅନୁସରଣ କରିବେ କିମ୍ବା ରାତି କର୍ଫ୍ୟୁ ରାଜ୍ୟରେ ଜାରି ରହିବ, ଏ ନେଇ ସମସ୍ତଙ୍କ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ତେବେ ଶୁଣିବାକୁ ମିଳୁଛି -
ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇ ଦେଇପାରନ୍ତି ରାଜ୍ୟ ସରକାର
କିଛି କ୍ଷେତ୍ରରେ କୋହଳ ଆଭିମୁଖ୍ୟ ମଧ୍ୟ ଦେଖାଇପାରେ ରାଜ୍ୟ
ହେଲେ ଗଂଜାମ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଗଜପତି, ରାୟଗଡ଼ା ଆଦି ଜିଲ୍ଲାରେ କଟକଣା ଜାରି ରହିବା ସମ୍ଭାବନା ରହିଛି ।
ସେପଟେ ରାଜ୍ୟର କିଛି ବରଷ୍ଠ ଡାକ୍ତର ମଧ୍ୟ ଅଧିକ ଦିନ ଲକଡାଉନ୍ ସପକ୍ଷରେ ନାହାନ୍ତି । ଲକଡାଉନ, ସଟଡାଉନକୁ ନେଇ ଧିରେ ଧିରେ ଲୋକ ଅତିଷ୍ଠ ହୋଇ ପଡିଥିବା ବେଳେ କେଉଁ କଟକଣା କୋହଳ ହେବ, କେଉଁ କଟକଣା ଜାରି ରହିବ ଏ ନେଇ ପ୍ରଶାସନିକ ମହଲରେ ଜୋରଦାର ବିଚାର ବିମର୍ଷ ଚାଲିଛି ।